ଭୁବନେଶ୍ବର : ଦିନ ବେଳା ଭଲ ପାଗ ଥିବା ବେଳେ ଆଗକୁ ମାଡ଼ି ଆସୁଛି ବିବାହ ଋତୁ। ଏଭଳି ଏକ ସମୟରେ ଅଳଙ୍କାର ଉପରେ ଲୋଭନୀୟ ଅଫର ଗ୍ରାହକମାନଙ୍କୁ ଆଜି ସୁନା ଦୋକାନକୁ ଟାଣି ଆଣିଥିଲା। ଦିନତମାମ ରବିବାର ଦିନ ଦୋକାନଗୁଡ଼ିକରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସୋ’ରୁମ୍ରେ ପାଦ ରଖିବାକୁ ଜାଗା ନଥିଲା। ରବିବାର ଦିନ ଭୁବନେଶ୍ବରର ଅଧିକାଂଶ ଅଳଙ୍କାର ସୋ’ରୁମ୍ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଭୁବନେଶ୍ବର ସମେତ ସାରା ରାଜ୍ୟରେ ରବିବାର ଦିନ ବିପୁଳ ପରିମାଣର ସୁନା ବିକ୍ରି ହୋଇଛି। ଗତବର୍ଷ ତୁଳନାରେ ଦାମ୍ ଅଧିକ ଥିବା ସତ୍ତ୍ବେ ଅଳଙ୍କାର ପ୍ରତି ଆଗ୍ରହ କମିନାହିଁ। ଆଜି ଅକ୍ଷୟ ତୃତୀୟାରେ ଲୋକମାନେ ଅଢ଼େଇ କ୍ବିଣ୍ଟାଲ୍ରୁ ଅଧିକ ସୁନା କିଣିଥିବା ଅନୁମାନ କରାଯାଉଛି। କୋଭିଡ୍ ମହାମାରୀର ପ୍ରଭାବ ପ୍ରାୟ ଦୂର ହୋଇଯାଇଥିବାରୁ ଲୋକମାନେ ଏଥର ଅକ୍ଷୟ ତୃତୀୟାରେ ସୁନା କିଣିବାରେ ଅଧିକ ଟଙ୍କା ବ୍ୟୟ କରିଛନ୍ତି।
ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ୧୫-୨୦ ପ୍ରତିଶତ ଅଧିକ ସୁନା ବିକ୍ରି ହୋଇଥିବା ଆକଳନ କରାଯାଇଛି। ଗତବର୍ଷ ସାରା ରାଜ୍ୟରେ ୧୨୦ କୋଟି ଟଙ୍କାରୁ ଅଧିକ ସୁନା ବିକ୍ରି ହୋଇଥିଲା। ଚଳିତ ବର୍ଷ ପ୍ରାୟ ୧୫୦ କୋଟି ଟଙ୍କାର ସୁନା ବିକ୍ରି ହୋଇଥିବା ଅନୁମାନ କରାଯାଉଛି।
ଗତବର୍ଷ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ୍ ୪୭,୧୦୦ ଟଙ୍କା ଥିଲା। ଚଳିତ ବର୍ଷ ଦାମ୍ ୫୫ ହଜାର ୭୦୦ ଟଙ୍କା ରହିଛି। ବର୍ଷକ ଭିତରେ ଦାମ୍ରେ ୮ ହଜାର ଟଙ୍କାରୁ ଅଧିକ ବୃଦ୍ଧି ହୋଇଥିଲେ ମଧ୍ୟ ବିବାହ ଋତୁ ପାଖେଇ ଆସୁଥିବାରୁ ଲୋକମାନେ ରବିବାର ଦିନ ବହୁ ସୁନା କିଣିଛନ୍ତି। ବିଶେଷ କରି ସୁନା ମୁଦି, ଚେନ୍, କାନଫୁଲ, ଚୂଡ଼ି, ମଙ୍ଗଳସୂତ୍ର , ବ୍ରେସ୍ଲେଟ୍ ଆଦି ଅଧିକ ମାତ୍ରାରେ ବିକ୍ରି ହୋଇଛି। ରବିବାର ଦିନ ରୁପାର କେଜି ପିଛା ଦାମ୍ ୭୭ ହଜାର ଟଙ୍କା ଏବଂ ୨୪ କ୍ୟାରେଟ ସୁନା ଦାମ୍ ୬୧,୪୧୦ ଟଙ୍କା ରହିଛି।
ଖିମ୍ଜୀ ଜୁଏଲର୍ସର ନିର୍ଦେଶକ ମିତେଶ ଖିମ୍ଜୀ କହିଛନ୍ତି ଯେ ଚଳିତ ବର୍ଷ ଅକ୍ଷୟ ତୃତୀୟ ବହୁତ ଭଲ ସାବ୍ୟସ୍ତ ହୋଇଛି। ଆମ ଆଶା ପୂରଣ ହୋଇଚି। ଗ୍ରୀଷ୍ଣ ପ୍ରବାହ ଯୋଗୁ ଚଳିତ ସପ୍ତାହ ପ୍ରାରମ୍ଭରେ ଗ୍ରାହକଙ୍କ ସଂଖ୍ୟା କିଛିଟା କମ୍ ଥିଲା। ମାତ୍ର ଗତ କିଛି ଦିନ ହେଲା ପାଗ ଭଲ ରହିବାରୁ ଅଧିକ ଗ୍ରାହକ ସୋ’ରୁମ୍କୁ ଆସିଥିଲେ। ଆମ ସବୁ ଷ୍ଟୋରରେ ବହୁତ ଭଲ ବିକ୍ରି ହୋଇଛି। ଗତବର୍ଷ ତୁଳନାରେ ଏଥର ଅଭିବୃଦ୍ଧି ଆଶା କରୁଛୁ। ଆମ ସ୍କିମ୍କୁ ଲୋକମାନେ ବହୁ ପସନ୍ଦ କରିଛନ୍ତି ଏବଂ ସୁନା କିଣାର ଏହି ଧାରା ଜାରି ରହିବ ବୋଲି ସେ କହିଛନ୍ତି।
ଲାଲଚାନ୍ଦ ଜୁଏଲର୍ସର ନିର୍ଦେଶକ କିସନ ଲାଲ ଗୁପ୍ତା କହିଛନ୍ତି ଯେ ଓଜନ ଦୃଷ୍ଟିରୁ ଗତବର୍ଷ ଅକ୍ଷୟ ତୃତୀୟାରେ ଯେତିକି ସୁନା ବିକ୍ରି ହୋଇଥିଲା, ଏଥର ସେହି ପରିମାଣର ସୁନା ବିକ୍ରି ହୋଇଥିବା ଅନୁମାନ କରାଯାଉଛି। କିନ୍ତୁ ଦାମ୍ ଅଧିକ ଥିବାରୁ ମୂଲ୍ୟ ଦୃଷ୍ଟିରୁ ଅଧିକ ସୁନା ବିକ୍ରି ହୋଇଛି। ବିବାହ ଲାଗି କିଣାକିଣି କରୁଥିବା ଗ୍ରାହକମାନେ ଭାରି ଗହଣା କିଣିଥିବା ବେଳେ ଅକ୍ଷୟ ତୃତୀୟାର ଶୁଭ ଅବସରକୁ ଦୃଷ୍ଟିରେ ରଖି ଆସିଥିବା ଗ୍ରାହକମାନେ ହାଲୁକା ଗହଣା କିଣିଛନ୍ତି ବୋଲି ସେ କହିଛନ୍ତି। ଲାଲଚାନ୍ଦର ଗଢ଼ା ମୂଲ୍ୟ ଅଫର ଗ୍ରାହକଙ୍କ ଦ୍ବାରା ବିଶେଷ ଆଦୃତ ହୋଇଛି। ସେଥିପାଇଁ ବହୁ ସଂଖ୍ୟାରେ ଗ୍ରାହକ ସୁନା କିଣିଛନ୍ତି ବୋଲି ସେ କହିଛନ୍ତି।
ଅନ୍ୟ ଜଣେ ବ୍ୟବସାୟୀ କହିଛନ୍ତି ଯେ ଗତ ତିନି ଚାରି ଦିନରୁ ସୁନା କିଣିବାକୁ ନେଇ ଉତ୍ସାହ ଆରମ୍ଭ ହୋଇଯାଇଥିଲା। ଆଜି ତାହା ବଜାୟ ରହିଛି। ଗତବର୍ଷ କୋଭିଡ୍ ମହାମାରୀର କିଛିଟା ପ୍ରଭାବ ଥିବାରୁ ଲୋକମାନଙ୍କ ମନରେ କିଛିଟା ସଙ୍କୋଚ ଥିଲା। ମାତ୍ର ଆଜି ଆସିଥିବା ଗ୍ରାହକମାନେ ନିଶ୍ଚିତ କିଛି କିଣାକିଣି କରିବାକୁ ମନ ସ୍ଥିର କରି ଆସିଛନ୍ତି। ଆଜି ପ୍ରବଳ ସୁନା ଅଳଙ୍କାର ବିକ୍ରି ହୋଇଥିବା ବେଳେ ହୀରା, ରୁପା ଓ ଆର୍ଟେଫ୍ୟାକ୍ଟ ମଧ୍ୟ ଅଧିକ ବିକ୍ରି ହୋଇଛି ବୋଲି ସେ କହିଛନ୍ତି।
ସୁନା ଦୋକାନୀଙ୍କ ମତରେ ଗ୍ରାହକମାନେ ଆଜି ସବୁ ପ୍ରକାର ଗହଣା କିଣିଛନ୍ତି। ବିବାହ ଲାଗି ଦରକାର ହାର ଭଳି ଭାରି ଗହଣାଠାରୁ ଆରମ୍ଭ କରି କାନଫୁଲ, ମୁଦି ଭଳି ହାଲୁକା ଗହଣା, ହୀରା ଅଳଙ୍କାର ଓ ଗୋଲ୍ଡ କଏନ୍ ଆଦି ସବୁ କିଛି କିଣିଛନ୍ତି। ଆସନ୍ତା ମାସରେ ବହୁ ବାହାଘର ଥିବାରୁ ଆଗାମୀ କିଛି ଦିନ ପାଇଁ ସୁନା ଦୋକାନଗୁଡ଼ିକରେ ଏହିଭଳି ଭିଡ଼ ରହିବ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି। ଅଧିକାଂଶ ଗ୍ରାହକ କିଛି ନା କିଛି ଅଳଙ୍କାର କିଣିଛନ୍ତି।
ଗତ କିଛି ବର୍ଷ ହେଲାଣି ଅକ୍ଷୟ ତୃତୀୟ ଓ ଧନ୍ତେରସ୍ରେ ସୁନା କିଣିବା ଏକ ଧାରାରେ ପରିଣତ ହୋଇଛି। ବର୍ଷର ଏହି ଦୁଇଦିନରେ ବିପୁଳ ପରିମାଣର ସୁନା ଅଳଙ୍କାର ବିକ୍ରି ହେଉଛି। ଅକ୍ଷୟ ତୃତୀୟାରେ ଗ୍ରାହକଙ୍କୁ ଆକୃଷ୍ଟ କରିବ ଲାଗି ରାଜ୍ୟର ବଡ଼ ଛୋଟ ପ୍ରାୟ ସବୁ ସୋ’ରୁମ୍ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ବିଶେଷ କରି ଗଢ଼ା ମୂଲ୍ୟ ଉପରେ ରିହାତି ଦିଆଯାଉଛି। ଏହା ସହିତ ଦୋକାନୀମାନେ ଗ୍ରାହକଙ୍କ ଚାହିଦା ପୂରଣ କରିବା ଲାଗି ବ୍ୟାପକ ତଥା ନୂତନ ସମ୍ଭାରର ଷ୍ଟକ୍ ରଖିଛନ୍ତି। ସୋ’ରୁମ୍ରେ ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।