Spread the love

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ସନ୍ଧ୍ୟାରେ ଭର୍ଚୁଆଲ ମାଧ୍ୟମରେ ରାଜ୍ୟର ୪ଟି ଜିଲ୍ଲାରେ ୩୫୭ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ଅଧିନରେ ନିର୍ମାଣ ହୋଇଥିବା ଏହି ସ୍କୁଲଗୁଡ଼ିକ ଅନୁଗୁଳ, କେନ୍ଦୁଝର, ଗଂଜାମ ଓ ଜଗତସିଂହପୁରରେ ଲୋକାର୍ପଣ ହୋଇଛି। ଆଜି ଜଗତସିଂହପୁରରେ ସର୍ବାଧିକ ୧୦୭ଟି, ଗଂଜାମରେ ୧୦୬, ଅନୁଗୁଳରେ ୮୭ ଓ କେନ୍ଦୁଝର ଜିଲ୍ଲାରେ ୫୭ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି।
ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ମାଧ୍ୟମରେ ୫-ଟି ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତର କାମ କରାଯାଉଛି। ପୂର୍ବରୁ ୨ଟି ପର୍ଯ୍ୟାୟରେ ଶହଶହ ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଆଗାମୀ ଦିନରେ ନିର୍ମାଣାଧୀନ ରୂପାନ୍ତରିତ ହାଇସ୍କୁଲଗୁଡ଼ିକର ଲୋକାର୍ପଣ ହେବ।

ରୂପାନ୍ତରିତ ହାଇସ୍କୁଲଗୁଡ଼ିକରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରି, କମ୍ପ୍ୟୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହୋଇଛି। ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଯାଇଛି। ଟିମ୍‌ୱାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ମିଳିମିଶି ଏହି ରୂପାନ୍ତର କାମରେ ସାମିଲ ହୋଇଛନ୍ତି। ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ ଶେଷ ହୋଇଛି। ଟ୍ରାନ୍ସପରେନ୍ସି ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି। ଭିଜନ ଡକ୍ୟୁମେଣ୍ଟଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି।

Leave a Reply

Your email address will not be published. Required fields are marked *