Spread the love

ଢେଙ୍କାନାଳ:ମାମୁ ଘର ଗାଁକୁ ଯାତ୍ରା ଦେଖିବାକୁ ଯାଇଥିବା ବେଳେ କୂଅରେ ପଡ଼ି ଜଣେ ୧୨ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଇପୁର ଗାଁରେ।
ମୃତ ବାଳକଙ୍କ ନାଁ ଶୁଭମ ନାୟକ। ତାଙ୍କ ଘର ତୁମୁସିଙ୍ଗା ଥାନା ବୋଲୁଅ ଗାଁରେ। ସେ ଗତକାଲି ଯାତ୍ରା ଦେଖିବା ପାଇଁ ତାଙ୍କ ପରିବାରର ଲୋକଙ୍କ ସହିତ ତାଙ୍କ ମାମୁଙ୍କ ଗାଁ ସରଦେଇପୁରକୁ ଆସିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ଶୁଭମ ପରିସ୍ରା କରିବାକୁ ଆସି ଅସାବଧାନତା ଯୋଗୁ ପାଖରେ ଥିବା ଏକ କୂଅରେ ଖସି ପଡ଼ିଥିଲେ। ସେ ନ ଫେରିବାରୁ ପରିବାର ଲୋକେ ବିଳମ୍ବିତ ରାତିରେ ବହୁତ ଖୋଜା ଖୋଜି କରିଥିଲେ। ମାତ୍ର ଶୁଭମଙ୍କର କୌଣସି ପତ୍ତା ପାଇ ନଥିଲେ। ପରେ କୂଅରେ ଶୁଭମ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଶୁଭମଙ୍କ ମୃତଦେହକୁ କୂଅରୁ ବାହାର କରାଯାଇଥିଲା। କାମାକ୍ଷାନଗର ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଡାକ୍ତରଖାନାକୁ ପଠାଇଛି।
ଶୁଭମଙ୍କ ମୃତ୍ୟୁକୁ ନେଇ ତାଙ୍କ ନିଜ ଗାଁ ବୋଲୁଅ ଓ ମାମୁ ଘର ଗାଁ ସରଦେଇପୁରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *