Spread the love

ଭୁବନେଶ୍ୱର: କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ବେଳେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ହାତରେ ଧରାପଡ଼ିଲେ ୨ ଦୁର୍ବୃତ୍ତ। ଧରାପଡ଼ିଥିବା ୨ ଜଣ ସମ୍ପର୍କରେ ଦାଦା-ପୁତୁରା। ସେମାନେ ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଅର୍ପାଜୁ ଗ୍ରାମର ସୁଜିତ୍ ରାଜାସ୍ୱଦୀପ ଓ ଧନଞ୍ଜୟ ବେହେରା। ଗତକାଲି ସନ୍ଧ୍ୟାରେ ଫୁଲବାଣୀ ଖଜୁରିପଡ଼ାରେ ଚଢ଼ାଉ କରି ଏସ୍‌ଟିଏଫ୍ ଏହି ବାଘ ଚମଡ଼ା ଜବତ କରିଛି। ତେବେ ଗିରଫ ଦାଦା-ପୁତୁରା ଶିକାରୀ କିମ୍ବା ମିଡିଲ ମ୍ୟାନ ତାହା ସ୍ପଷ୍ଟ ହୋଇନି।
ସୂଚନା ମୁତାବକ ସେମାନେ ପ୍ରାୟ ୧୦ ଲକ୍ଷ ଟଙ୍କାରେ ଏହି ବାଘ ଛାଲ ବିକ୍ରି କରିବାକୁ ଆସିଥିଲେ। ଏସିଟିଏଫ୍‌ର ସଦସ୍ୟମାନେ ସାଧାରଣ ପୋଷାକରେ ରହି ସେମାନଙ୍କୁ ଟ୍ରାକ୍‌ କରିଥିଲେ। ସେମାନଙ୍କୁ ଧରିବା ପରେ ଗିରଫ କରାଯାଇ ଏସ୍‌ଟିଏଫ୍ ଏକ ମାମଲା କରିଥିଲା। ପରେ ସେମାନଙ୍କୁ ଫୁଲବାଣୀ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରୁ ସେମାନଙ୍କୁ ରିମାଣ୍ଡରେ ଭୁବନେଶ୍ୱର ଆଣିଛି ଏସ୍‌ଟିଏଫ୍।
ତେବେ ଏହି କଲରାପତରିଆ ବାଘକୁ କେଉଁଠୁ ଶିକାର କରାଯାଇଛି, ଅଭିଯୁକ୍ତମାନେ ପୂର୍ବରୁ କେତେଥର ଏପରି ବେଆଇନ କାରବାର କରିଛନ୍ତି ସେ ନେଇ ଖୋଳତାଡ କରୁଚି ଏସ୍‌ଟିଏଫ୍। ସେମାନଙ୍କୁ ଏସ୍‌ଟିଏଫ୍ ଅଧିକ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନେ ସତ ଓଗାଳିଲେ ଏହି ରାକେଟ କାରବାର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହା ଜଣାପଡ଼ିବ।
ଅନ୍ୟପଟେ ଜବତ ବାଘ ଛାଲକୁ ଯାଞ୍ଚ ନିମନ୍ତେ ଡେରହାଡୁନ୍ ଡବ୍ଲୁଆଇଆଇ ନିର୍ଦ୍ଦେଶାଳୟକୁ ବାୟୋଲିଜିକାଲ ପରୀକ୍ଷା ନିମନ୍ତେ ପଠାଇ ଦିଆଯାଇଛି।
ତେବେ ଏହି ଘଟଣା ପରେ ରାଜ୍ୟରେ ବାଘ ଓ ବନପ୍ରାଣୀ ଶିକାର ବଢ଼ି ଚାଲିଥିବା ପୁଣି ସ୍ପଷ୍ଟ ହୋଇଛି। ୨୦୨୦ରେ ଏସ୍‌ଟିଏଫ୍ ବନ୍ୟପ୍ରାଣୀ ଅଙ୍ଗପ୍ରତ୍ୟଙ୍ଗ ଚୋରା କାରବାର ରୋକିବାକୁ ସ୍ୱତନ୍ତ୍ର ଧରପଗଡ଼ ଅପରେସନ ଚଳାଇଛି। ଧରପଗଡ଼ରେ କଲରାପତରିଆ ବାଘ ଚମଡ଼ା ଜବତ ମାମଲା ଅଧିକ ରହିଛି। ବନ ବିଭାଗ, ପୁଲିସ, ଏସ୍‌ଟିଏଫ୍ ପ୍ରଭୃତି ନଜର ରଖିଥିଲେ ହେଁ ରାଜ୍ୟରେ ବାଘ ଶିକାର ଓ ବେଆଇନ ବାଘ ଛାଲ କାରବାର ରାକେର୍ଟ ସକ୍ରିୟ ରହିଥିବା ସ୍ପଷ୍ଟ ହୋଇଛି। ଯାହା ସରକାରଙ୍କ ଜଙ୍ଗଲ ସୁରକ୍ଷା ବ୍ୟବସ୍ଥା ବାଟବଣା ହୋଇଥିବା ଧରାପକାଇଛି।

Leave a Reply

Your email address will not be published. Required fields are marked *