Spread the love

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାକୁ ୧ନମ୍ବର ଜିଲ୍ଲା କରାଯିବ। ଗଞ୍ଜାମ ରାଜ୍ୟର ବିକାଶଧାରାର ମଡେଲ୍‌ ହେବ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଉଦ୍‌ବୋଧନ ଦେଉଛନ୍ତି। କିନ୍ତୁ, ତୃଣମୂଳସ୍ତରକୁ ଯାଇ ସମସ୍ୟା ବୁଝିବା ପରେ ଜଣାପଡ଼ିଛି, ଗଞ୍ଜାମ ଜିଲ୍ଲାରେ ବିକାଶର ଅସଲ ଚିତ୍ର କ’ଣ? ଜିଲ୍ଲାରେ ଏବେ କି ଏଭଳି ୩୧୨ ଗାଁ ଓ ପଡ଼ାଗାଁ ରହିଛି, ଯେଉଁଠିକୁ ରାସ୍ତା ସଂଯୋଗୀକରଣ ହୋଇପାରି ନାହିଁ। ଫଳରେ ସେଠାକୁ ଆମ୍ବୁଲାନ୍ସ ମଧ୍ୟ ଗଡ଼ିପାରୁ ନାହିଁ। କୌଣସି ଚାରିଚକିଆ ଗାଡ଼ି ଯିବାର ବି ପ୍ରଶ୍ନ ଉଠୁନି।
ନିକଟରେ ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩’ ପାଇଁ ଗଞ୍ଜାମ ଜିଲ୍ଲା ଗୌରବ ଅର୍ଜନ କରିଛି। ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲା ପରିଷଦକୁ ‌ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ ‘ନ୍ୟାସନାଲ୍ ପଞ୍ଚାୟତ ଆୱାର୍ଡ଼-୨୦୨୩’ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲା ବିଭିନ୍ନ ବର୍ଗରେ ୬ଟି ଜାତୀୟ ପୁରସ୍କାର ପାଇଛି। ଏତେସବୁ ସଫଳତା ସତ୍ତ୍ବେ ଗଞ୍ଜାମ ଜିଲ୍ଲାର ୩ଶହରୁ ଅଧିକ ଦୁର୍ଗମ ଗାଁକୁ ରାସ୍ତା ଖଣ୍ଡିଏ ତିଆରି ହୋଇପାରୁ ନାହିଁ। ରାସ୍ତା ନଥିବାରୁ ଦୁର୍ଗମ ଇଲାକାରେ ରହୁଥିବା ଆଦିବାସୀ ଅଧ୍ୟୁଷିତ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗଞ୍ଜାମ ଜିଲ୍ଲାରେ ୩ହଜାର ୨୫୦ ଗାଁ ରହିଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସର୍ଭେ ଅନୁସାରେ ୩୧୨ଟି ଗାଁକୁ ଚାରିଚକିଆ ଗାଡ଼ି ଯାତାୟାତ ପାଇଁ ରାସ୍ତା ନାହିଁ। ଏହି ତାଲିକାରେ କିଛି ସିଜନାଲ୍‌ କଟଅଫ୍‌ ଗାଁ ରହିଛି। ସେଭଳି ଗାଁକୁ ବର୍ଷା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଯାତାୟାତ ଆଦୌ ସମ୍ଭବ ହୋଇ ନଥାଏ।
ଅନ୍ୟ ଏକ ଉଦ୍‌ବେଗର ବିଷୟ ହେଉଛି, ଏହି ୩୧୨ଟି ଗାଁକୁ ଆବଶ୍ୟକ ସ୍ଥଳେ ଆମ୍ବୁଲାନ୍ସ ଯାଇପାରୁ ନାହିଁ। ବିଭିନ୍ନ ‌ସମୟରେ ଆମ୍ବୁଲାନ୍ସ କର୍ମଚାରୀ, ଗ୍ରାମବାସୀ ରୋଗୀଙ୍କୁ ଦୋଳାରେ ବୋହି ଆଣୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ସେହି ଗାଁରେ ରହୁଥିବା ଲୋକଙ୍କୁ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପାଇଁ ମଧ୍ୟ କାଠିକର ପାଠ ହୋଇଛି। ରାସ୍ତା ନଥିବା ସତ୍ତ୍ବେ ସ୍ବାସ୍ଥ୍ୟ ଟିମ୍‌ ଡଙ୍ଗାରେ ନଦୀ ପାରି ହୋଇ ପାହାଡ଼ ଚଢ଼ି ଗାଁରେ ପହଞ୍ଚୁଛନ୍ତି।

ଗତ କିଛିଦିନ ତଳେ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ପାତ୍ରପୁର ବ୍ଲକ୍‌ର ଦୁର୍ଗମ ଇଲାକାରେ ଥିବା ୫ଟି ଗାଁକୁ ଯାଇ ସ୍ବାସ୍ଥ୍ୟସେବା ଯୋଗାଇ ଥିଲେ। ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଡଙ୍ଗାରେ ବାହୁଦା ନଦୀ ପାରି ହୋଇ ଚାଲିଚାଲି ଯାଇ ଗାଁରେ ପହଞ୍ଚି ଗ୍ରାମବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଫେରିଥିଲା। ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ସମୟରେ ଏଭଳି ଗାଁରେ କ୍ୟାମ୍ପ କରି ଗ୍ରାମବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି।

Leave a Reply

Your email address will not be published. Required fields are marked *