Spread the love

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିବା ଜଣାଯାଇଛି। ଏହି ଚାର୍ଜସିଟରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଖରେ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ରହିଥିବା ଉଲେଖ ରହିଛି। ଲୋକାୟୁକ୍ତଙ୍କ ଅନୁମତି ପରେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ ଦାଖଲ କରିଛି ଭିଜିଲାନ୍ସ। ଶ୍ରୀ ପାଣିଗ୍ରାହୀଙ୍କ ସମେତ ତାଙ୍କ ପତ୍ନୀଙ୍କ ନାଁରେ ଚାର୍ଜସିଟ ଦାଖଲ କରାଯାଇଛି।
ସୂଚନଯୋଗ୍ୟ ଯେ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ମାମଲାରେ ଛନ୍ଦି ହେବାପରେ ବିଧାୟକ ଡ. ପାଣିଗ୍ରାହୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ୨୦୨୦ ଡିସେମ୍ବର ୩ତାରିଖରେ ଗିରଫ କରିଥିଲା। ଏହାପରେ ତାଙ୍କୁ ବିଜେଡି ଦଳରୁ ବହିଷ୍କୃତ କରାଯାଇଥିଲା। କିଛି ମାସ ଜେଲ୍‌ରେ ରହିବା ପରେ ସେ ଜାମିନ୍‌ ପାଇଥିଲେ। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ଆସିଥିଲା। ଏଣୁ ଓଡ଼ିଶା ଭିଜିଲାନ୍ସ ବିଭାଗ ଦ୍ବାରା ଏହି ଅଭିଯୋଗର ତଦନ୍ତ କରି ଲୋକୟୁକ୍ତଙ୍କ ନିକଟରେ ରିପୋର୍ଟ ଦାଖଲ କରାଯାଇଥିଲା। ଲୋକାୟୁକ୍ତଙ୍କ ନିକଟରେ ବିଧାୟକ ଡ. ପାଣିଗ୍ରାହୀଙ୍କ ନାମରେ ଗତ ୯.୧୨.୨୦୨୦ରେ ଅଭିଯୋଗ ହୋଇଥିଲା ଏବଂ ତାହାକୁ ନେଇ ଲୋକାୟୁକ୍ତରେ ଏକ ମାମଲା (୧୩୪୮ରେ) ରୁଜୁ ହୋଇଥିଲା। ତେବେ ଗୁପ୍ତ ତତନ୍ତରୁ ଡ. ପାଣିଗ୍ରାହୀ ବେଆଇନ ସମ୍ପତ୍ତି ଠୁଳ କରିଥିବା ଜଣାପଡିବା ପରେ ୧୧.୧୨.୨୦୨୦ରେ ଲୋକାୟୁକ୍ତ-ଓଡ଼ିଶା ଭିଜିଲାନ୍ସକୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଲୋକାୟୁକ୍ତ ଆଇନ-୨୦୧୪ର ଅଧିନିୟମ ୨୦(୨)ରେ ତଦନ୍ତ କରାଯାଇ ଜଣାପଡିଥିଲା ଯେ ଡ. ପାଣିଗ୍ରାହୀ ସାଧାରଣ ଲୋକଙ୍କ ସେବ‌ାରେ ଥାଇ ବେଆଇନ ସମ୍ପତ୍ତି ଠୁଳ କରିଛନ୍ତି। ସେ ଗତ ୨୪.୫.୨୦୦୦ରୁ ୩୦.୧୧.୨୦୨୦ରେ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ସେବାରେ ଥାଇ ୫କୋଟି ୫ଲକ୍ଷ ୪ ହଜାର ୬୫୬ ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି। ଭିଜିଲାନସ ପକ୍ଷରୁ ଗତ ୨୮.୫.୨୦୨୧ରେ ତଦନ୍ତ ଶେଷକରି ଲୋକାୟୁକ୍ତଙ୍କ ନିକଟରେ ଚୂଡ଼ାନ୍ତ ରିପୋର୍ଟ ଦିଆଯାଇଥିଲା। ତଦନ୍ତ ରିପୋର୍ଟକୁ ଲୋକାୟୁକ୍ତ ଅନୁଧ୍ୟାନ କରିବା ଏବଂ ଏ ନେଇ ଡ. ପାଣିଗ୍ରାହୀ ଉତ୍ତର ପାଇ ସାରିବା ପରେ ଏହାର ତଦନ୍ତ କରିବା ସହିତ ଅନୁସନ୍ଧାନ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ।  ଲୋକୟୁକ୍ତଙ୍କ ନିର୍ଦେଶରେ ୨୦୨୧ ମସିହା ଅକ୍ଟୋବର ୪ ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ପିଏସ କେସ୍ ନମ୍ବର ୬ରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଥିଲା।

Leave a Reply

Your email address will not be published. Required fields are marked *