Spread the love

କଟକ: ଗତ ଫେବ୍ରୁଆରି ୨୮ରେ ଲୋୟର୍‌ ପିଏମ୍‌ଜିଠାରେ ‌ବିକ୍ଷୋଭ ବେଳେ ହିଂସା ଘଟାଇବା ଅଭିଯୋଗ ନେଇ ଦାୟର୍‌ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ଜଣଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଜଷ୍ଟିସ୍‌ ସଙ୍ଗମ୍‌ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଆଚାର୍ଯ୍ୟଙ୍କ ସମେତ ୨୨ଜଣଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଜାମିନ ସର୍ତ୍ତ ପୂରଣ ପରେ ନିମ୍ନ ଅଦାଲତ ୨୨ଜଣ ଆବେଦନକାରୀଙ୍କୁ ଜାମିନରେ ଛାଡ଼ିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଫେବ୍ରୁଆରି ୨୮ରୁ ଗିରଫ ହୋଇ ଜେଲ୍‌ରେ ଥିବା ବିଜେପି ଯୁବମୋର୍ଚ୍ଚାର ୨୨ଜଣ ଜାମିନରେ ବାହାରିବାକୁ ଯାଉଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ରାଜ୍ୟରେ ଅପରାଧ ବଢ଼ିବା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ପ୍ରତିବାଦ ଓ ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଫେବ୍ରୁଆରି ୨୮ରେ ଲୋୟର୍‌ ପିଏମ୍‌ଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା। ହଜାର ହଜାର ବିକ୍ଷୋଭକାରୀ ବାରିକେଡ୍‌ ଭାଙ୍ଗି ବିଧାନସଭା ଆଡ଼କୁ ଯିବାକୁ ଚେଷ୍ଟା କରିବା ବେଳେ ପୁଲିସ ସେମାନଙ୍କୁ ବାଧା ଦେଇଥିଲା। ପୁଲିସ ଓ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ପୁଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିବା ବେଳେ ଅପରପକ୍ଷ ଆକ୍ରମଣରେ ବହୁ ପୁଲିସ ଆହତ ହୋଇଥ‌ିଲେ। ପୁଲିସ ମାଡ଼ରେ ବହୁ ବିକ୍ଷୋଭକାରୀ ମଧ୍ୟ ଆହତ ହୋଇଥିଲେ। କ୍ୟାପିଟାଲ ଥାନାରେ ପୁଲିସ ପକ୍ଷରୁ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିଲା। ବିଜେପି ଯିବମୋର୍ଚ୍ଚା ସଭାପତି ଶ୍ରୀ ଆଚାର୍ଯ୍ୟଙ୍କ ସମେତ ୨୨ଜଣଙ୍କୁ ପୁଲିସ ଘଟଣା ଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଭୁବନେଶ୍ବର ଦୌରା ଜଜ୍ ଅଦାଲତରେ ଜାମିନ ଖାରଜ ହେବା ପରେ ମାର୍ଚ୍ଚ ୨୦ରେ ଶ୍ରୀ ଆଚାର୍ଯ୍ୟ ଓ ଅନ୍ୟ ୨୧ଜଣ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ଦାୟର୍‌ କିଥିଲେ। ଶାନ୍ତିପୂର୍ଣ୍ଣ ଭାବେ ଗଣତାନ୍ତ୍ରିକ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଏଥିରେ ଜାଣିଶୁଣି ବାଧା ସୃଷ୍ଟି କରାଯାଇଥିଲା। ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଗିରଫ କରାଯାଇଥିଲା ବୋଲି ହାଇକୋର୍ଟରେ ଦାୟର ଜାମିନ ଆବେଦନରେ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସୌମିକ ସ୍ପନ୍ଦନ ତ୍ରିପାଠୀ ଓ ଅନିନ୍ଦ୍ୟ ବେବର୍ତ୍ତା ପଟ୍ଟନାୟକ ସହାୟତା କରୁଥିଲେ।

Leave a Reply

Your email address will not be published. Required fields are marked *