Spread the love

ବୌଦ୍ଧ: ପୁଣି ବୌଦ୍ଧ ପୁଲିସକୁ ବଡ଼ ସଫଳତା ମିଳିଛି। ବୌଦ୍ଧ-କନ୍ଧମାଳ ସୀମାନ୍ତ କଣ୍ଟାମାଳ ଥାନା ଅନ୍ତର୍ଗତ ମାନପଦର ଜଙ୍ଗଲରୁ ପୁଲିସ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି। ୩୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୫ଟି ଦେଶୀ ବନ୍ଧୁକ ଜବତ କରିଛି।
ବୌଦ୍ଧ ଜିଲ୍ଲାରେ ବନ୍ଧୁକ ମୂନରେ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏଥି ସହିତ ବନ୍ଧୁକ ତିଆରି ଏକ କୁଟୀର ଶିଳ୍ପ ସାଜିଲାଣି। ଏସପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶରେ କଣ୍ଟାମାଳ ପୁଲିସ ମାନପଦର ଗ୍ରାମ ନିକଟ ଜଙ୍ଗଲରେ ଚଢ଼ଉ କରିଥିଲା। ଘଞ୍ଚ ଜଙ୍ଗଲରେ ଚାଷ କରି ଚୋରା ଚାଲାଣ ପାଇଁ ଗଚ୍ଛିତ କରାଯାଇଥିବା ୩୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ପୁଲିସ କାବୁ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଥିବା ଜଣାଯାଇଛି। ଅଭିଯୁକ୍ତ ଦୁଇ ଜଣ ହେଲେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ତଳଡଙ୍ଗାନାମା ଗ୍ରାମର ଅଜୟ ମଲ୍ଲିକ(୪୨) ଓ ଉପରଡଙ୍ଗାନାମା ଗ୍ରାମର ପଙ୍କଜ ମଲ୍ଲିକ(୨୭)। ଅଭିଯୁକ୍ତଙ୍କ ନିକଟରୁ ପାଞ୍ଚଟି ସିଙ୍ଗଲ ବ୍ୟାରେଲ ଦେଶୀ ବନ୍ଧୁକ ଜବତ କରାଯାଇଛି। ପାଞ୍ଚଟି ବନ୍ଧୁକ ଜବତ କରାଯାଇଥିବାରୁ ପାଞ୍ଚରୁ ଅଧିକ ବ୍ୟକ୍ତି ଘଟଣାସ୍ଥଳରେ ରହିଥିବା ଆଶଙ୍କା କରାଯାଉଛି। ପୁଲିସ କେସ ନଂ ୮୧/୨୦.୪.୨୦୨୩ରେ ମାମଲା ରୁଜୁ କରି ତଦନ୍ତ କରୁଛି। ଚୋରା ଚାଲାଣରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ତନାଘନା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *