Spread the love

ଭୁବନେଶ୍ବର : ଗଞ୍ଜାମର ପ୍ରାୟ ୮୦୦ ଲୋକଙ୍କ ସମେତ ସମଗ୍ର ରାଜ୍ୟର ହଜାର ହଜାର ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଠକକୁ କେରଳରୁ ବାନ୍ଦିଛି ଇଓଡବ୍ଲୁ। ଏହି ଧୃତ ଜଣକ କେରଳ ଥୀରିସ୍‌ସୁର ଅଞ୍ଚଳର ୩୫ ବର୍ଷିୟ ଦିଲ୍ଲୀପ କୁମାର। ସେ ବିଜନେସ୍ ମ୍ୟାନେଜମେଣ୍ଟରେ ଡିପ୍ଲୋମା କରିଛି। ନିଜ ପାଠକୁ ଅବାଟରେ ଲଗାଇ ସେ ଅନ୍‌ଲାଇନ୍‌ ପୁଞ୍ଜି ଲଗାଣ ସଂସ୍ଥା ଏଇଟିନ୍-ଫୁଟବଲ ଡଟ୍‌ କମ୍ ବେଟିଂ ଚାରେଟେବୁଲ ଟ୍ରଷ୍ଟର ଅନ୍ୟତମ ପ୍ରତିଷ୍ଠାତ ତଥା ସେଲ୍‌ କମ୍ପାନୀର ନିର୍ଦ୍ଦେଶକ ହୋଇଥିଲା। ଏହି ସେଲ୍ କମ୍ପାନୀ ପ୍ରିୱେଷ୍ଟ ଗ୍ଲୋବାଲ ସଲ୍ୟୁସନ ପ୍ରାଇଭେଟ ଲିମିଟେଡ୍‌ ନାମରେ ବିଭିନ୍ନ ସ୍ଥାନରେ ୧୯.୪୯ କୋଟି ଟଙ୍କାର ଦୁର୍ନୀତି କରିଥିବା ଇଓଡବ୍ଲୁ ଧରିଛି।
ସେହିପରି ଦିଲ୍ଲୀପ କୋଇମ୍ବାଟୁରୀ ଓମାନା ଫାଉଣ୍ଡେସନ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଓ ପରିଚାଳକ ମଧ୍ୟ ଥିଲା। ତାକୁ ଗିରଫ ପରେ କେରଳ ଛତାକୁଡ଼େ ଜେଏମ୍‌ଏଫ୍‌ସିରେ ହାଜର କରାଯାଇ ୬ ଦିନିଆ ରିମାଣ୍ଡରେ ଇଓଡବ୍ଲୁ ଆଣିଛି।
ଦିଲ୍ଲୀପ ଏହି କମ୍ପାନୀଗୁଡ଼ିକ ଜରିଆରେ ପ୍ରାୟ ୫ ହଜାରଟି ଦେଣନେଣ ବେଆଇନ ଭାବେ କରିଛି। ଏହି ମାମଲାରେ ଦୁବାଇରୁ ଦୁର୍ନୀତିକୁ ପରିଚାଳନା କରୁଥିବା ଏମ୍‌ଡି ସୈଫ ବିରୋଧରେ ଲୁକ୍‌ ଆଉଟ୍ ସକ୍ୟୁଲାର ଜାରି ହୋଇସାରିଛି। ସେ ଦୁବାଇରୁ ଠକେଇକୁ ଅପରେଟ କରୁଥିଲା। ଯେତେବେଳେ ଏହି ମାମଲାରେ ଅନ୍ୟ ୨ ଜଣଙ୍କୁ ଗିରଫ କରାଯାଇସାରିଛି।
ସୂଚନା ଥାଉକି, ଅଭିଯୁକ୍ତମାନେ ଏଇଟିନ୍ -ଫୁଲବଲ-ଡଟ୍-କମ୍ ଜରିଆରେ ଲୋକଙ୍କୁ ଠକୁ ଥିଲେ। ଅନ୍‌ଲାଇନ୍‌ ଜରିଆରେ ଟଙ୍କା ଲଗାଇ ଦିନକୁ ୩ ପ୍ରତିଶତ ସୁଧର ସୁବିଧା ନେବାକୁ ଲୋକଙ୍କୁ ଲୋଭ ଦେଖାଉଥିଲେ। ଏଥିସହ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ପ୍ରଲୋଭନୀୟ ସ୍କିମ୍‌ ମଧ୍ୟ କରିଥିଲେ। ଲୋକେ ଲୋଭରେ ପଡ଼ି ଏହି ଅନ୍‌ଲାଇନ୍ ୱେବ୍‌ସାଇଟ୍ ଓ ଆପ୍‌ ଜରିଆରେ ଟଙ୍କା ଲଗାଇ ଠକେଇର ଶିକାର ହୋଇଛନ୍ତି। ଠକମାନେ ଲୋକଙ୍କ ଠାରୁ ଏଭଳି ସ୍କିମ୍ ଜରିଆରେ ବେଆଇନ୍ ଟଙ୍କା ଆଦାୟ କରିଥିବା ବେଳେ ଏହାକୁ ବିଭିନ୍ନ ସେଲ୍ କମ୍ପାନୀ, ଫାର୍ମ ପ୍ରଭୃତିରେ ନିବେଶ କରି କୋଟିପତି ହୋଇଥିଲେ। ସମଗ୍ର ଭାରତରେ ଏହି ସଂସ୍ଥା ୧ ହଜାର କୋଟି ଟଙ୍କାର ଦୁର୍ନୀତି ଜଣାପଡ଼ିଥିବା ବେଳେ ଇଓଡବ୍ଲୁ ୫୨୫ କୋଟି ଟଙ୍କା ଦୁର୍ନୀତି ଧରିପାରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଓଡବ୍ଲୁ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *