Spread the love

ପୁରୀ : ବଡ଼ଦାଣ୍ଡ ମାର୍କେଟ୍‌ କ‌ମ୍ପ୍ଲେକ୍ସରେ ମୁଣ୍ଡି ମରାଯାଇଛି। ବ୍ୟବସାୟୀଙ୍କ ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ୪୦ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ୍‌ କମ୍ପ୍ଲେକ୍ସ ଚଳିତ ମାସ ଶେଷ ସୁଦ୍ଧା ପ୍ରଶାସନକୁ ହସ୍ତାନ୍ତର କରାଯିବ। ବ୍ୟବସାୟୀମାନଙ୍କୁ ତୁରନ୍ତ ଥଇଥାନ କରାଯିବ। ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଏହି ମାର୍କେଟ୍‌ କ‌ମ୍ପ୍ଲେକ୍ସ ଉଦ୍‌ଘାଟନ ହେବା ନେଇ ମଧ୍ୟ ପ୍ରସ୍ତୁତି କରାଯାଉଛି। ଫଳରେ ବହୁଦିନ ଧରି ଏହି ସ୍ଥାନରୁ ବେଉସା ହରାଇଥିବା ବ୍ୟବସାୟୀମାନେ ଆଶ୍ବସ୍ତ ହୋଇଛନ୍ତି।

ବଡ଼ଦାଣ୍ଡରେ ଛିଡ଼ା ହୋଇଥିବା ଏହି ମାର୍କେଟ୍‌ ବିଲ୍‌ଡିଂର ସମ୍ମୁଖ ଭାଗକୁ ଖଣ୍ଡୋଲାଇଟ ପଥରରେ ସୁସଜ୍ଜିତ କରାଯାଇଛି। ଗ୍ରାଉଣ୍ଡ ଫ୍ଲୋର୍‌ ସମେତ ୩ତାଲା ବିଶିଷ୍ଟ କୋଠା ନିର୍ମାଣ ସରିଛି। ଅନ୍ୟ ଆନୁଷଙ୍ଗିକ ନିର୍ମାଣ କାମ ମଧ୍ୟ ଶେଷ ହୋଇଛି। ୨୦୧୯ ମସିହା ଅକ୍ଟୋବର ୨୦ ତାରିଖରେ ଏହି ସ୍ଥାନରୁ ପୁରୁଣା ମାର୍କେଟ୍‌‌ ଘର ଉଚ୍ଛେଦ ହୋଇଥିଲା। ୨୦୨୦ ମସିହା ଜାନୁଆରି ୧୭ ତାରିଖରେ ମାର୍କେଟ୍‌ କ‌ମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତି ପକାଇଥିଲେ। ୨୦୨୦ ମସିହା ଜୁନ୍‌ ୮ ତାରିଖରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗତବର୍ଷ ଜୁନ୍‌ ୭ ତାରିଖ ସୁଦ୍ଧା ମାର୍କେଟ୍‌ କ‌ମ୍ପ୍ଲେକ୍ସ ନିର୍ମାଣ ଶେଷ ହେବା ପାଇଁ କଣ୍ଟ ଦିଆଯାଇଥିଲା।
ଏନେଇ ଓବିସିସିର ପ୍ରକଳ୍ପ ଯନ୍ତ୍ରୀ ପ୍ରଭାତ ପାଣିଗ୍ରାହୀ କହିଛନ୍ତି, ମାର୍କେଟ୍‌ କ‌ମ୍ପ୍ଲେକ୍ସ ମଧ୍ୟରେ ୫ଶହ ଦୋକାନ ଘର ନିର୍ମାଣ କରାଯାଇଛି। ଏହାବ୍ୟତୀତ ୧୦୦ଟି ଚାରି ଚକିଆ ଯାନ ରହିବା ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି)କୁ ରାଜ୍ୟ ସରକାର ଏହାର ଦାୟିତ୍ବ ଦେଇଥିବା ବେଳେ ଓବିସିସି ପକ୍ଷରୁ ଆଚାର୍ଯ୍ୟ ବ୍ରଦର୍ସ କନ୍‌ଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ୍‌ ଏହାର ନିର୍ମାଣ କାର୍ଯ୍ୟ କରିଛନ୍ତି। ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଛି। ଏହି ମାସ ଶେଷ ସୁଦ୍ଧା ସରକାରଙ୍କୁ ଏହା ହସ୍ତାନ୍ତର କରାଯିବ। ଖଣ୍ଡେଲାଇଟ୍‌ ପଥର ମିଳିବାରେ ସମସ୍ୟା ଯୋଗୁ କାମ ବିଳମ୍ବ ହୋଇଥିଲେ ହେଁ ଏବେ ଏହା ଶେଷ ହୋଇଛି।

ସୂଚନାଯୋଗ୍ୟ ପୌରସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଇଥିବା ଦୋକାନ ଘର ଭଡ଼ା ସୂତ୍ରରେ ନେଇ ଲୋକେ ଏହି ସ୍ଥାନରେ ବ୍ୟବସାୟ କରୁଥିଲେ। କିନ୍ତୁ କାଳକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଅବସ୍ଥା ଦୟନୀୟ ହୋଇପଡ଼ିଥିଲା। ଏଣେ ଐତିହ୍ୟ ସହରର ପାରିପାର୍ଶ୍ବିକ ଚିତ୍ର ବଦଳାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଅବଢ଼ା ଯୋଜନା (ଅଗ୍‌ମେଣ୍ଟେସନ୍‌ ଅଫ୍‌ ବେସିକ୍‌ ଆମେନିଟିଜ ଆଣ୍ଡ ଡେଭଲ‌ପମେଣ୍ଟ ଅଫ୍‌ ହେରିଟେଜ ଆଣ୍ଡ ଆର୍କିଟେକ୍ଚର)ରେ ପୁରୁଣା ଦୋକାନଗୃହକୁ ଭାଙ୍ଗି ମାର୍କେଟ୍‌ କ‌ମ୍ପ୍ଲେକ୍ସ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରିଥିଲେ। ପୌରସଂସ୍ଥାଠାରୁ ପୂର୍ବରୁ ସେଠାରେ ଦୋକାନ ଘର ଭଡ଼ା ନେଇ ବ୍ୟବସାୟ କରୁଥିବା ବ୍ୟବସାୟୀ ଓ ଶ୍ରୀକ୍ଷେତ୍ର ପରିକ୍ରମା ମାର୍ଗ ପ୍ରକଳ୍ପ ନିର୍ମାଣ ଯୋଗୁ ରୋଜଗାର ହରାଇଥିବା ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଦୋକାନ ଘର ଉଚ୍ଛେଦ ବେଳେ ସେମାନଙ୍କୁ ଦୁଇବର୍ଷ ମଧ୍ୟରେ ଦୋକାନ ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *