Spread the love

ପୁରୀ : ଚନ୍ଦନପୁର ଥାନା ଅନ୍ତର୍ଗତ ଉତ୍ତରହଣା ଗ୍ରାମର ୧୨ଟି ଦଳିତ ପରିବାରକୁ ଗାଁ’ରେ ନିଆଁ ପାଣି ବନ୍ଦ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ୧୨ଟି ପରିବାରର ସଦସ୍ୟମାନେ ଏନେଇ ଏସ୍‌ପିଙ୍କୁ ଭେଟି ତାଙ୍କୁ କଙ୍ଗାରୁ କୋର୍ଟ ଜରିଆରେ ଏକ ଘରିକିଆ କରିଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି।
ଉତ୍ତରହଣା ଗ୍ରାମର ଅଭିଯୋଗକାରୀ ଆର୍ତ୍ତତ୍ରାଣ ସେଠୀଙ୍କ କହିବା ମୁତାବକ, ଗାଁ’ରେ କିଛିଦିନ ତଳେ ଭାଇଭାଇ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ଜଣଙ୍କ ବିପକ୍ଷରେ ଅଭିଯୋଗ ଦେବା ପାଇଁ ଆମଭଳି ଦଳିତଙ୍କୁ ଅସ୍ତ୍ର କରାଯାଇଥିଲା। ଏଥିପାଇଁ ଆମେ ରାଜି ହେଲୁନାହିଁ। ଫଳସ୍ବରୂପ ୩ ବର୍ଷ ହେଲା ଗାଁ’ରେ ଦୋକାନ, ବଜାର, ଗାଁ’ ଠାକୁରାଣୀ ମନ୍ଦିର ସେମାନଙ୍କୁ ବାରଣ କରାଯାଇଛି। ତାଙ୍କ ଅଭିଯୋଗ ମୁତାବକ, ଗତ ପଣା ସଂକ୍ରାନ୍ତିରେ ସେମାନେ ଗାଁ’ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ତିନି ଥାକି ପାଖରେ ପଣା ସମର୍ପଣ କରିଥିଲେ। ଗାଁ’ର ବ୍ରାହ୍ମଣଙ୍କୁ ନେଇ ପୂଜା କରିବା ପାଇଁ ତାଙ୍କୁ ବାରଣ ଥିବାରୁ ସେମାନେ ଅନ୍ୟ ଗାଁ’ରୁ ବ୍ରାହ୍ମଣ ଡକାଇ ପୂଜାର୍ଚ୍ଚନା କରିଥିଲେ। ତଥାପି ସେମାନଙ୍କୁ ବିରୋଧର ଶିକାର ହେବାକୁ ପଡ଼ିଲା।

୩ ଦିନ ତଳେ ଗାଁ’ରେ ଘଣ୍ଟ ବାଡ଼ିଆ ହୋଇ ସେମାନଙ୍କୁ ଦୋକାନ, ବଜାର, ପୋଖରୀ ଓ ନଳକୂପ ବ୍ୟବହାର କରିବାକୁ ବାରଣ କରାଯାଇଛି। ଗତ ୧୨ ତାରିଖରୁ ସେମାନେ ଗାଁ’ ଠାକୁରାଣୀଙ୍କର ଦର୍ଶନ ମଧ୍ୟ କରିପାରୁନାହାଁନ୍ତି। ଏପରିକି ସେମାନଙ୍କ ମଧ୍ୟରୁ କେତେକଙ୍କୁ ଗାଁ’ରୁ ବାଡ଼େଇ ବାହାର କରିଦେବାକୁ ଷଡ୍‌ଯନ୍ତ୍ର ହେଉଥିବା ନେଇ ଅଭିଯୋଗ କରିଛନ୍ତି। ତେଣୁ ସେମାନଙ୍କୁ ସାଧାରଣ ମଣିଷ ଭଳି ଗାଁ’ରେ ଚଳିବାର ବ୍ୟବସ୍ଥା କରାଇବା ସହ ଆଇନଗତ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *