Spread the love

ଚଣ୍ଡୀଗଡ଼ : ସ୍ୱର୍ଣ୍ଣ ମନ୍ଦିରରେ ଘଟିଥିବା ଏକ ଘଟଣାର ଭିଡିଓ ସୋମବାର ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ମହିଳାଙ୍କୁ ସ୍ୱର୍ଣ୍ଣ ମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ଜଣେ ବ୍ୟକ୍ତି ତାଙ୍କୁ ମନ୍ଦିରେ ପ୍ରବେଶ କରିବାକୁ ମନା କରିଥିଲେ। ଏହା ପରେ ଉକ୍ତ ମହିଳା ଓ ଅନ୍ୟ ଜଣେ ବ୍ୟକ୍ତି ଯାଇ ତାଙ୍କୁ ଏହାର କାରଣ ପଚାରିଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ କହିଥିଲେ ଯେ ସେ (ମହିଳା ଜଣଙ୍କ) ତାଙ୍କ ଗାଲରେ ତ୍ରିରଙ୍ଗାର ଚିତ୍ର କରିଛନ୍ତି। ଏହା ପରେ ମହିଳାଙ୍କ ପାଇଁ ଯୁକ୍ତି ବାଢ଼ୁଥିବା ବ୍ୟକ୍ତି ଜଣଙ୍କ କହିଥିଲେ ଯେ ସେଥିରେ କ’ଣ ଅସୁବିଧା? ସେ (ଉକ୍ତ ମହିଳା) କ’ଣ ଭାରତୀୟ ନୁହନ୍ତି କି? ଏହା ପରେ ଆକଟ କରୁଥିବା ବ୍ୟକ୍ତି ଜଣଙ୍କ କହିଥିଲେ ଯେ ଏହା ଭାରତ ନୁହେଁ। ଏହା ପଞ୍ଜାବ। ସେ ଏଭଳି କଥା କହିବା ପରେ ଉକ୍ତ ମହିଳା ଓ ଅନ୍ୟ ବ୍ୟକ୍ତି ଜଣଙ୍କ ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ।
ଏହି ଭିଡିଓଟି ଭାଇରାଲ ହେବା ପରେ ବିଭିନ୍ନ ବର୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଉ ଏହା ସ୍ୱର୍ଣ୍ଣ ମନ୍ଦିର କର୍ତ୍ତୃପକ୍ଷଙ୍କ ନଜରକୁ ମଧ୍ୟ ଆସିଥିଲା। ଏହା ପରେ ସ୍ୱର୍ଣ୍ଣ ମନ୍ଦିର କର୍ତ୍ତୃପକ୍ଷ ଏହି ଘଟଣା ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ସାଧାରଣ ସମ୍ପାଦକ ଗୁରୁଚରଣ ସିଂହ ଗେରୱାଲ ଏହି ଘଟଣା ପାଇଁ କ୍ଷମା ମାଗିଛନ୍ତି।
ସେ କହିଛନ୍ତି, ଏହା ଏକ ଶିଖ ଧାର୍ମିକସ୍ଥଳୀ। ସବୁ ଧାର୍ମିକସ୍ଥଳୀର ନିଜସ୍ୱ ବ୍ୟବସ୍ଥା ରହିଛି। ଆମେ ଏଠାରେ ସମସ୍ତଙ୍କୁ ସ୍ୱାଗତ କରୁ। ଯଦି ଆମର କୌଣସି କର୍ମଚାରୀ କାହାକୁ ଦୁର୍ବ୍ୟବହାର କରିଛନ୍ତି, ତା’ହେଲେ ଆମେ କ୍ଷମା ମାଗୁଛୁ। ତେବେ ଉକ୍ତ ମହିଳାଙ୍କ ଗାଲରେ ଯେଉଁ ପତାକାର ଚିତ୍ର ଥିଲା ତାହା ତ୍ରିରଙ୍ଗା ନଥିଲା। କାରଣ ସେଥିରେ ଅଶୋକ ଚକ୍ର ନଥିଲା। ତାହା କୌଣସି ରାଜନୀତିକ ଦଳର ପତାକା ହୋଇପାରେ।
ସୂଚନାଯୋଗ୍ୟ, ଯେଉଁ ଲୋକମାନେ ବିଟିଂ ରିଟ୍ରିଟ୍ କାର୍ଯ୍ୟକ୍ରମ ଦେଖିବା ପାଇଁ ଅଟ୍ରି-ୱାଘା ସୀମାକୁ ଯାଆନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ମୁହଁରେ ତ୍ରିରଙ୍ଗାର ଚିତ୍ର କରିଥା’ନ୍ତି। ତା’ପରେ ସେମାନେ ସ୍ୱର୍ଣ୍ଣ ମନ୍ଦିରକୁ ଆସନ୍ତି। ଏହି ଘଟଣାଟି ମଧ୍ୟ ସେମିତି କିଛି ହୋଇଥିବ ବୋଲି ଅନୁମାନ କରାଯାଉଛି। ସେ ମହିଳା ଜଣଙ୍କ ଅଟ୍ରି-ୱାଘା ସୀମା ବୁଲିବା ପରେ ସ୍ୱର୍ଣ୍ଣ ମନ୍ଦିର ଆସିଥିବେ ଓ ତାଙ୍କ ମୁହଁରେ ତ୍ରିରଙ୍ଗାର ଚିତ୍ର ଥିବ।

Leave a Reply

Your email address will not be published. Required fields are marked *