Spread the love

କୋଲକାତା : ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ସୋମବାର ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ଜୀବନକୃଷ୍ଣ ସାହାଙ୍କୁ ଗିରଫ କରିଛି। ପ୍ରାୟ ୬୫ ଘଣ୍ଟା ପଚରାଉଚରା କରିବା ପରେ ସିବିଆଇ ତାଙ୍କୁ ଗିରଫ କରିଛି।
ଶ୍ରୀ ସାହାଙ୍କୁ ସିବିଆଇ ମୁର୍ଶିଦାବାଦ ଜିଲ୍ଲା ସ୍ଥିତ ତାଙ୍କ ଘରେ ପଚରାଉଚରା କରିଥିଲା। ଗତ ଶୁକ୍ରବାର (ଫେବ୍ରୁଆରୀ ୧୨ ତାରିଖ) ଦିନ ୧୨ଟାରୁ ତାଙ୍କୁ ପଚରାଉଚରା ଆରମ୍ଭ କରିଥିଲା ସିବିଆଇ। ପଚରାଉଚରା ବେଳେ ସେ ସିବିଆଇକୁ ସହଯୋଗ କରି ନଥିବା ଜଣାପଡ଼ିଛି। ଶେଷରେ ସିବିଆଇ ଆଜି ସକାଳେ ତାଙ୍କୁ ଗିରଫ କରି କୋଲକାତା ଆଣିଛି।
ଏହି ମାମଲାରେ ଶ୍ରୀ ସାହାଙ୍କ ଘରୁ ସିବିଆଇ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି। ଚଢ଼ାଉ ବେଳେ ସେ ତାଙ୍କର ଦୁଇଟି ମୋବାଇଲ ଫୋନକୁ ଘର ପାଖରେ ଥିବା ଏକ ପୋଖରୀକୁ ଫୋପାଡ଼ି ଦେଇଥିଲେ। ପମ୍ପ ଲଗାଇ ପୋଖରୀରୁ ପାଣି କାଢ଼ି ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଥିବା ବେଳେ ଆଉ ଗୋଟିଏ ମୋବାଇଲ ଫୋନ ସିବିଆଇକୁ ମିଳି ନାହିଁ। ସେହି ମୋବାଇଲଟିକୁ ସିବିଆଇ ଖୋଜୁଛି। ଏହି ମାମଲାରେ ଅଧିକ ପ୍ରମାଣ ଯୋଗାଡ଼ କରିବା ପାଇଁ ଉକ୍ତ ଫୋନ୍ ମିଳିବା ନିହାତି ଦରକାର ବୋଲି ସିବିଆଇ ସୂତ୍ରରୁ ଜଣାପଡ଼ିଛି।
ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହେବାରେ ଜୀବନକୃଷ୍ଣ ସାହା ହେଉଛନ୍ତି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସର ତୃତୀୟ ବିଧାୟକ। ଗିରଫ ହୋଇଥିବା ଅନ୍ୟ ଦୁଇ ବିଧାୟକ ହେଉଛନ୍ତି ସାହା ମାଣିକ ଭଟାଚାର୍ଯ୍ୟ ଓ ପାର୍ଥ ଚାଟାର୍ଜୀ।

Leave a Reply

Your email address will not be published. Required fields are marked *