Spread the love

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ପୁଣି ଥରେ ବିରୋଧୀଙ୍କ ଏକତା ବିଗିଡ଼ିବାରେ ଲାଗିଛି । କାରଣ ଶରଦ ପାଓ୍ବାରଙ୍କ ଏନସିପି ଏବେ କର୍ଣ୍ଣାଟକରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳ ରାଜ୍ୟର ୪୦ରୁ ୪୫ଟି ଆସନରେ ପ୍ରାର୍ଥୀ ଦେଇପାରେ। ତେବେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଆସନ ସଂଖ୍ୟା ଘୋଷଣା କରାଯାଇନାହିଁ ।
କର୍ଣ୍ଣାଟକ ନିର୍ବାଚନରେ ଏନସିପିର ପ୍ରବେଶ ପରେ ଲଢେଇ ଅଧିକ ରୋମାଞ୍ଚକର ହୋଇଛି । ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକ ନିର୍ବାଚନରେ ମୁଖ୍ୟ ଲଢ଼େଇ ବିଜେପି-କଂଗ୍ରେସ-ଜେଡିଏସ୍ ମଧ୍ୟରେ ହେବ ବୋଲି ବିଚାର କରାଯାଉଥିଲା। କିନ୍ତୁ ଏବେ ସମୀକରଣ ବଦଳିପାରେ। ନିକଟରେ ଦଳକୁ ଜାତୀୟ ଦଳର ମାନ୍ୟତା ପ୍ରତ୍ୟାହାର କରାଯିବା ପରେ କର୍ଣ୍ଣାଟକ ନିର୍ବାଚନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଏନସିପି କହିଛି।
ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ ଯଦି ଆମେ ପୁଣି ଥରେ ଜାତୀୟ ଦଳ ହେବାକୁ ଚାହୁଁଛୁ ତେବେ ଆମକୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିବ। ସେହି ମାନ୍ୟତା ଫେରାଇ ଆଣିବା ପାଇଁ ଦଳ ଏହି ନିଷ୍ପତ୍ତି ନେଇଛି । ମହାରାଷ୍ଟ୍ର-କର୍ଣ୍ଣାଟକ ସୀମାନ୍ତ ଅଞ୍ଚଳରେ ଏନସିପି ମହାରାଷ୍ଟ୍ର ଏକୀକରଣ ସମିତି ସହ ମେଣ୍ଟ କରିବ ବୋଲି ଆଶା କରାଯାଉଛି, ଯେଉଁଠାରେ ମରାଠୀ ଜନସଂଖ୍ୟା ଅଧିକ ।
କଂଗ୍ରେସର ଏକ ପୁରୁଣା ସହଯୋଗୀ ଭାବେ ଏନସିପି ଜଣାଶୁଣା । ଏଣୁ ଏନସିପି ଅଲଗା ଭାବେ ପ୍ରାର୍ଥୀ ଦେଲେ ତାହା କଂଗ୍ରେସକୁ ଅଡ଼ୁଆରେ ପକାଇବ ।

Leave a Reply

Your email address will not be published. Required fields are marked *