Spread the love

ନୂଆଦିଲ୍ଲୀ: ଏପ୍ରିଲ ୧୩ ତାରିଖରେ ଝାନ୍‌ସୀରେ ଉତ୍ତର ପ୍ରଦେଶର ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ର (ଏସ୍‌ଟିଏଫ୍‌) ଏନ୍‌କାଉଣ୍ଟର୍‌ରେ ଉମେଶ ପାଲ୍‌ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅତୀକ୍‌ ଅହମଦ୍‌ଙ୍କ ପୁଅ ଅସଦ୍‌ ନିହତ ହୋଇଛନ୍ତି।

ପୁଲିସର କହିବା ଅନୁସାରେ, ଉତ୍ତର ପ୍ରଦେଶ ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ ଟିମ୍‌ ଉପରକୁ ଅସଦ୍ ଓ ଗୁଲାମ ପ୍ରଥମେ ଗୁଳି ଚଳାଇଲେ। ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ ଟିମ୍‌ ପାଲଟା ଗୁଳି ଚଳାଇବାରୁ ଦୁହିଁଙ୍କର ମୃତ୍ୟୁ ଘଟିଲା। ସେମାନଙ୍କ ନିକଟରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ନୂଆ ସେଲ୍‌ଫୋନ୍‌ ଏବଂ ସିମ୍‌ କାର୍ଡ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ଉମେଶ ପାଲ୍‌ ହତ୍ୟା ମାମଲାରେ ଆଜି ଅତୀକ୍‌ ଅହମଦ୍‌ଙ୍କୁ ପ୍ରୟାଗରାଜସ୍ଥିତ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର କରାଯାଉ ଥିବା ବେଳେ ଏନ୍‌କାଉଣ୍ଟର୍‌ରେ ପୁଅ ଅସଦ୍‌ଙ୍କର ମୃତ୍ୟୁ ହୋଇଥିବା ଖବର ପାଇଥିଲେ। ଏହି ଖବର ଶୁଣି ସେ କିଛି ସମୟ ଚୁପ ହୋଇ ଛିଡା ହେବାପରେ ଭୋଭୋ ହୋଇ କାନ୍ଦିଥିଲେ। ଅତୀକ ପୁଅକୁ ହରାଇବା ଖବର ଣୁଣି କୋର୍ଟ ରୁମରେ ଅଚେତ ହୋଇପଡ଼ିଥିଲେ।

ଅତୀକଙ୍କୁ ଗୁଜୁରାଟର ସାବରବମତୀ ସେଣ୍ଟ୍ରାଲ ଜେଲରୁ ପ୍ରୟାଗରାଜସ୍ଥିତ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର ପାଇଁ ଅଣାଯାଇଥିଲା।

ସୂଚନାଯୋଗ୍ୟ, ୨୦୦୫ରେ ବହୁଜନ ସମାଜ ପାର୍ଟିର ସାଂସଦ ରାଜୁ ପାଲ୍‌ଙ୍କ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ୍‌। ଏଥିରେ ଅଭିଯୁକ୍ତ ଥିଲେ ଅତୀକ୍‌। ଫେବ୍ରୁଆରି ୨୪ ତାରିଖ ଦିନ ପ୍ରୟାଗରାଜ ବାସଭବନ ବାହାରେ ଉମେଶ ପାଲ୍‌ ଏବଂ ତାଙ୍କର ଦୁଇଜଣ ଅଙ୍ଗରକ୍ଷୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଥିରେ ଅହମଦ୍, ତାଙ୍କ ଭାଇ ଅଶରଫ୍‌ ଏବଂ ସେମାନଙ୍କର ପରିବାରର ସଦସ୍ୟମାନେ ସମ୍ପୃକ୍ତ ବୋଲି ଉମେଶଙ୍କ ପତ୍ନୀ ଜୟାଙ୍କ କରିଥିବା ଅଭିଯୋଗ ଆଧାରରେ ମାମାଲା ରୁଜୁ କରାଯାଇଥିଲା।

Leave a Reply

Your email address will not be published. Required fields are marked *