Spread the love

ମୁମ୍ବାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଏକତରଫା ଭାବେ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପୂର୍ବରୁ ସେ ମହା ବିକାଶ ଅଘାଡି (ଏମଭିଏ)ର ନେତାମାନଙ୍କ ସହ ଆଦୌ ଆଲୋଚନା କରି ନଥିଲେ ବୋଲି କହିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର।
ବିଜେପି ଠାରୁ ଉଦ୍ଧବ ଠାକରେ ଅଲଗା ହେବା ପରେ କଂଗ୍ରେସ ଓ ଏନସିପି ସହ ମିଶି ଏମଭିଏ ଗଠନ କରିଥିଲେ। ଏହାପରେ ମେଣ୍ଟ ପକ୍ଷରୁ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ତେବେ ଶିବସେନାର ଏକନାଥ ସିନ୍ଦେ ଓ ଆଉ କିଛି ବିଧାୟକ ବିଦ୍ରୋହ କରିବାରୁ ଉଦ୍ଧବ ଠାକରେ ଇସ୍ତଫା ଦେଇଥିଲେ।
ଏବେ ଏସମ୍ପର୍କରେ ଶରଦ ପାୱାର ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ପଦ ପାଇଁ ଠାକରେଙ୍କୁ ସର୍ବସମ୍ମତିକ୍ରମେ ଏମଭିଏରେ ଥିବା ଶିବସେନା, ଏନସିପି ଓ କଂଗ୍ରେସ ମନୋନୀତ କରିଥିଲେ। ତେଣୁ ଆଶା କରାଯାଉଥିଲା ଯେ ଇସ୍ତଫା ଦେବା ବେଳେ ସେ ୩ ଦଳର ମୁଖ୍ୟଙ୍କ ସହ ଆଲୋଚନା କରିବେ। କିନ୍ତୁ ସେ ଅତ୍ୟନ୍ତ ଚୁପଚାପ ଇସ୍ତଫା ଦେବା ଘଟଣା ଆମକୁ ଆଶ୍ଚର୍ଯ୍ୟ କରିଥିଲା। ସେ ଇସ୍ତଫା ଦେବା ପୂର୍ବରୁ କାହା ସହ ଆଲୋଚନା କରି ନଥିଲେ।”
ସିନ୍ଦେ ବିଦ୍ରୋହ ଘୋଷଣା କରିବା ପରେ ଆସ୍ଥା ଭୋଟର ସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଆସ୍ଥା ଭୋଟ ପୂର୍ବରୁ ଉଦ୍ଧବ ଠାକରେ ତତ୍କାଳୀନ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରିଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିଲେ। ସେ ମଧ୍ୟ ଏହାକୁ ଗ୍ରହଣ କରି ନେଇଥିଲେ।
ପାୱାର କହିଛନ୍ତି, “ଇସ୍ତଫା ଦେବାର ଅଧିକାର ଠାକରେଙ୍କ ପାଖରେ ରହିଛି। କିନ୍ତୁ ଯେତେବେଳେ ବିନା ଆଲୋଚନାରେ ନିଷ୍ପତ୍ତି ନିଆଯାଏ ସେତେବେଳେ ଏହାର ପରିଣାମ ଭୋଗିବାକୁ ପଡ଼େ। ଏବେ ସ୍ଥିତି ଯାହା ଏମଭିଏ ସୁଦୃଢ଼ ରହିଛି। ହେଲେ ଭବିଷ୍ୟତରେ କ’ଣ ହେବ, ସେକଥା କେହି ଜାଣି ନାହାନ୍ତି।”
ଉଦ୍ଧବ ଠାକରେ ଓ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧ ସମ୍ପର୍କରେ ଶରଦ ପାୱାର ନିଜର ମତ ରଖିଛନ୍ତି। ସେ କହିଛନ୍ତି, “ଏହା ମହାରାଷ୍ଟ୍ରର ସଂସ୍କୃତି ନୁହେଁ। ସମସ୍ତେ ପରସ୍ପରର ମାନସମ୍ମାନ ରଖିବା ଦରକାର।”

Leave a Reply

Your email address will not be published. Required fields are marked *