ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ସାଂଘାତିକ ସମାଲୋଚନା କରିଛନ୍ତି। କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା କିମ୍ବା କଂଗ୍ରେସଠାରୁ ସଂପନ୍ନ ଛିନ୍ନ କରିଥିବା ନେତାମାନଙ୍କ ସହିତ ସିନ୍ଧିଆଙ୍କୁ ଯୋଡ଼ି ରାହୁଲ ଟ୍ବିଟ କରିଥିବାରୁ ସେ ଏହାର କଡ଼ା ଜବାବ ଦେଇଛନ୍ତି।
ସିନ୍ଧିଆ କହିଛନ୍ତି ଏହା ସ୍ପଷ୍ଟ ଯେ ଆପଣ ଟ୍ରୋଲରେ ସୀମିତ ରହିଯାଇଛନ୍ତି। ମୋ ଉପରେ ଭିତ୍ତିହୀନ ଅଭିଯୋଗ ଲଗାଇବା ଏବଂ ମୁଖ୍ୟ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପରିବର୍ତ୍ତେ ୩ଟି ପ୍ରଶ୍ନର ଉତ୍ତର କାହିଁକି ଦେଉନାହାନ୍ତି ବୋଲି ପଚାରିଛନ୍ତି। ପଛୁଆ ବର୍ଗ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିବାରୁ ଭୁଲ କାହିଁକି ମାଗୁନାହାନ୍ତି। ଭୁଲ ମାଗିବା ପରିବର୍ତ୍ତେ ଓଲଟା କହୁଛନ୍ତି ଆପଣ ସାବରକର ନୁହନ୍ତି। ଭୁଲ ମାଗିବେ ନାହିଁ। ଦେଶସେବକଙ୍କୁ ଅପମାନ କରିବା ସହିତ ଏତେ ଅହଂକାର କ’ଣ ପାଇଁ?
ସିନ୍ଧିଆ ପଚାରିଥିବା ଦ୍ବିତୀୟ ପ୍ରଶ୍ନଟି ହେଲା ଯେଉଁ ନ୍ୟାୟାଳୟ ଉପରେ କଂଗ୍ରେସ ଅଙ୍ଗୁଳି ଉଠାଇଥାଏ ଆଜି ନିଜର ସ୍ବାର୍ଥ ପାଇଁ ତାହା ଉପରେ ଚାପ ସୃଷ୍ଟି କରୁଛି। ତୃତୀୟ ପ୍ରଶ୍ନ ହେଲା ଆପଣଙ୍କ ପାଇଁ ନିୟମ କ’ଣ ଅଲଗା? ଆପଣ କ’ଣ ନିଜକୁ ପ୍ରଥମ ଶ୍ରେଣୀ ନାଗରିକ ଭାବୁଛନ୍ତି ? ଏଥିସହିତ ଆପଣ ଅହଂକାରରେ ଏତେମାତ୍ରାରେ ବୁଡ଼ିକରି ଅଛନ୍ତି ଯେ ଏସବୁ ପ୍ରଶ୍ନ ଆପଣଙ୍କ ବୁଝିବା ବାହାରେ ବୋଲି ସିନ୍ଧିଆ କହିଛନ୍ତି।