Spread the love

ନୂଆଦିଲ୍ଲୀ : ଗୁଲାମ ନବୀ ଆଜାଦ ଏକ ସାକ୍ଷାତ୍‌କାରରେ କହିଥିଲେ ଯେ ରାହୁଲ ଗାନ୍ଧି ବିଦେଶକୁ ଯାଇ ‘ଅବାଞ୍ଛିତ ବ୍ୟବସାୟୀ’ମାନଙ୍କୁ ସାକ୍ଷାତ୍ କରନ୍ତି। ତାଙ୍କର ଏହି ମନ୍ତବ୍ୟ ଉପରେ ରାହୁଲ ଗାନ୍ଧିଙ୍କୁ ସ୍ପଷ୍ଟୀକରଣ ମାଗିଛି ବିଜେପି। ବିଜେପି ଜାଣିବାକୁ ଚାହିଛି, ‘ସେହି ବ୍ୟବସାୟୀମାନେ କିଏ’ ଯାହାଙ୍କୁ ବିଦେଶରେ ରାହୁଲ ଭେଟନ୍ତି ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି।
ରାହୁଲ ଗାନ୍ଧି ନିକଟରେ ଆଦାନି ପ୍ରସଙ୍ଗରେ ସରକାରଙ୍କୁ ଆକ୍ରମଣ କରିବା ସହ କହିଥିଲେ ଯେ ଗୁଲାମ ନବୀ ଆଜାଦ, ହିମନ୍ତ ବିଶ୍ବଶର୍ମା, କିରଣ କୁମାର ରେଡ୍ଡୀ, ଅନିଲ କେ ଆଣ୍ଟୋନି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ କଂଗ୍ରେସ ଛାଡ଼ିଥିବା ଲୋକମାନେ ଆଦାନିଙ୍କ ସହ ସମ୍ପର୍କ ରଖିଛନ୍ତି। କେଉଁମାନେ ୨୦ ହଜାର କୋଟି ବେନାମୀ ଟଙ୍କା ଆଦାନିଙ୍କ ସେଲ କମ୍ପାନିରେ ନିବେଶ କରିଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଥିଲେ।
ରାହୁଲଙ୍କ ଏହି ଟ୍ବିଟ୍‌ର ଉତ୍ତରରେ କଂଗ୍ରେସ ଛାଡ଼ି ନିଜେ ଏକ ଦଳ ଗଠନ କରିଥିବା ଗୁଲାମ ନବୀ ଆଜାଦ କହିଥିଲେ, ରାହୁଲଙ୍କ ମନ୍ତବ୍ୟ ଲଜ୍ଜାଜନକ। ମୋର କୌଣସି ବ୍ୟବସାୟୀଙ୍କ ସହ ସମ୍ପର୍କ ନାହିଁ। ବରଂ ରାହୁଲଙ୍କ ସମେତ ସମସ୍ତ ଗାନ୍ଧି ପରିବାର ବ୍ୟବସାୟୀମାନଙ୍କ ସହ ସମ୍ପର୍କ ରଖିଛନ୍ତି। ରାହୁଲ ନିଜେ ବିଦେଶ ଯାଇ ଅବାଞ୍ଛିତ ବ୍ୟବସାୟୀମାନଙ୍କୁ ସାକ୍ଷାତ୍ କରନ୍ତି।
ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି କହିଛି, ରାହୁଲ ସ୍ପଷ୍ଟୀକରଣ ଦେବା ଉଚିତ, କେଉଁ ବ୍ୟବସାୟୀମାନଙ୍କ ସହ ସେ ସାକ୍ଷାତ୍ କରନ୍ତି ଏବଂ କେଉଁ ଉଦ୍ଦେଶ୍ୟରେ।
ଗୁଲାମ ନବୀ ଆଜାଦ କହିଛନ୍ତି, ମୋର (ଗାନ୍ଧି) ପରିବାର ପ୍ରତି ଯଥେଷ୍ଟ ସମ୍ମାନ ଅଛି। ମୁଁ ସେମାନଙ୍କ ବିରୋଧରେ କିଛି କହିବାକୁ ଚାହେନା। ନ ହେଲେ, ରାହୁଲ ବିଦେଶ ଯାଇ କେଉଁ ବ୍ୟବସାୟୀମାନଙ୍କୁ ଭେଟନ୍ତି, ତାହା ମୁଁ କହିପାରିଥାନ୍ତି।
ଅନ୍ୟ ପକ୍ଷରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ରବିବାର କହିଛନ୍ତି, ରାହୁଲ ଗାନ୍ଧି ତାଙ୍କୁ ଆଦାନି ଗ୍ରୁପ୍ ସହ ଯୋଡ଼ିଥିବାରୁ ତାଙ୍କ ବିରୋଧରେ ଖୁବ୍‌ଶୀଘ୍ର ସେ ମାନହାନି ମାମଲା ରୁଜୁ କରିବେ।

Leave a Reply

Your email address will not be published. Required fields are marked *