Spread the love

ଭୁବନେଶ୍ବର : କେଉଁମାନେ ନକଲି ସାର୍ଟିଫିକେଟ ଦେଇ ସରକାରୀ ସ୍କୁଲମାନଙ୍କରେ ଶିକ୍ଷକ ଚାକିରି କରିଛନ୍ତି, ସେ ସଂପର୍କରେ ଆସନ୍ତା ଦୁଇ ଦିନ ଭିତରେ ରିପୋର୍ଟ ଦେବେ ବିିଇଓ ଓ ଡିଇଓ। ଖାଲି ଏତିକି ନୁହେଁ, ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସଂପର୍କରେ ରିପୋର୍ଟ ମଗାଯାଇଥିବା କହିଛନ୍ତି ପ୍ରାଥମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଜ୍ୟୋତିରଂଜନ ମିଶ୍ର।
ସେ କହିଛନ୍ତି, ପ୍ରାୟ ୩ ଶହ ଶିକ୍ଷକଙ୍କ ବିରୋଧରେ ଜାତି, ଜନ୍ମ ଓ ଶିକ୍ଷାଗତ ସାର୍ଟିଫିକେଟ ଜାଲିଆତି କରିଥିବା ଅଭିଯୋଗ ଆସିବା ପରେ ତଦନ୍ତ ଚାଲିଛି। ଅନେକ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି। ଯେଉଁମାନଙ୍କ ବିରୋଧରେ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି, ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି। ଅନେକଙ୍କ ନାମରେ ପୁଲିସରେ ଏଫଆଇଆର୍ ମଧ୍ୟ କରାଯାଇଛି। ଅନେକ ନକଲି ସିର୍ଟିଫିକେଟଧାରୀ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। କେତେ ଜଣ ଗିରଫ ବି ହୋଇଛନ୍ତି। ଆଉ କେତେ ଜଣ ଅଭିଯୋଗ ମିଥ୍ୟା ପ୍ରମାଣିତ ହେବା ପରେ ପୁଣି ଚାକିରିକୁ ଫେରିଛନ୍ତି।
ନକଲି ଶିକ୍ଷକଙ୍କୁ ଧରିବାକୁ ଏସ୍‌ଓପି ଜାରି କରାଯାଇଛି। ଜାଲ ସାର୍ଟିଫିକେଟ ଅଭିଯୋଗ ବଲାଙ୍ଗିରକୁ ଛାଡ଼ି ଅନ୍ୟ ଜିଲ୍ଲାରୁ ବି ଆସିଛି। ବଲାଙ୍ଗିରରୁ ନକଲି ଶିକ୍ଷକ ଥିବାର ବି ଅଭିଯୋଗ ଆସିଛି। ବିଭିନ୍ନ ଅଭିଯୋଗର ତଦନ୍ତ ବେଳେ ରାଜ୍ୟ ବାହାରର ସାର୍ଟିଫିକେଟ ଯାଞ୍ଚ ପାଇଁ ସମୟ ଲାଗୁଥିବାରୁ ପଦକ୍ଷେପ ନେବାରେ ବିଳମ୍ବ ହେଉଛି। ତେବେ ଆସନ୍ତା ଦୁଇଦିନ ଭିତରେ ଗଣାଶିକ୍ଷା ବିଭାଗ ଏକ ରିପୋର୍ଟ ପ୍ରସ୍ତୁତ କରିବ। ଏଥିରେ କେତେ ସଂଖ୍ୟକ ଶିକ୍ଷକ କେଉଁ ପ୍ରକାର ନକଲି ସାର୍ଟିଫିକେଟ ଦେଇଛନ୍ତି ଓ ସେମାନଙ୍କ ବିରୋଧରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ଜଣାପଡ଼ିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *