Spread the love

ଭୁବନେଶ୍ବର: ମାତ୍ରାଧିକ ଲୁଣ ଖାଉଥିଲେ ସାବଧାନ। ଏଥିଯୋଗୁଁ ଉଚ୍ଚ ରକ୍ତଚାପ, ହୃଦ୍‌ଘାତ ଏବଂ ମସ୍ତିଷ୍କାଘାତ ଭଳି ସମସ୍ୟା ଦେଖାଯିବାର ଆଶଙ୍କା ରହିଥାଏ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସୁପାରିସ ଅନୁସାରେ, ଦୈନିକ ଜଣେ ପ୍ରାପ୍ତ ବୟସ୍କ ୫ ଗ୍ରାମ ଲୁଣ ଖାଇବା ଉଚିତ। ମାତ୍ର ଜଣେ ଭାରତୀୟ ହାରାହାରି ୧୧ ଗ୍ରାମ ଲୁଣ ଖାଇଥାଆନ୍ତି। ଯାହାକି ଡବ୍ଲୁଏଚଓର ପରାମର୍ଶ ଠାରୁ ଦୁଇ ଗୁଣ। କିଛି ଦିନ ପୂର୍ବରୁ ଡବ୍ଲୁଏଚଓ ପକ୍ଷରୁ ଖାଇବାରେ ସୋଡିୟମ ହ୍ରାସ ପାଇବା ନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଏଥି ଅନୁଯାୟୀ, ଏହାର ୧୯୪ ସଦସ୍ୟ ଦେଶ ୨୦୨୫ ମସିହା ସୁଦ୍ଧା ସୋଡିୟମ ବ୍ୟବହାର ୩୦ % ହ୍ରାସ କରିବା ନେଇ ଲକ୍ଷ୍ୟ ରଖିଛନ୍ତି। ଦୁଃଖର ବିଷୟ ଯେ ଅଧିକାଂଶ ଦେଶରେ ସୋଡିୟମ ବ୍ୟବହାର ମନ୍ଥର ଗତିରେ ହ୍ରାସ ପାଉଛି। ତେଣୁ ଧାର୍ଯ୍ୟ ସମୟସୀମାକୁ ୨୦୩୦କୁ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି। ଭାରତ ପକ୍ଷରୁ ସ୍ବତଃପ୍ରବୃତ୍ତ ଭାବରେ ଖାଦ୍ୟରେ ସୋଡିୟମ ରପ୍ତାନି ହ୍ରାସ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ସହିତ ସୁଷମ ଖାଦ୍ୟ ଯୋଗାଣକୁ ଗୁରୁତ୍ବ ଦିଆଯାଉଛି।
୨୦୨୦ ମସିହାର ମେଡିକାଲ ରିପୋର୍ଟ ଅନୁଯାୟୀ ୩୨.୧ % ମୃତ୍ୟୁର କାରଣ ଉଚ୍ଚ ରକ୍ତଚାପ ବୋଲି ଉଲ୍ଲେଖ ରହିଛି। ହୃଦ୍‌ରୋଗ ଏବଂ ଉଚ୍ଚ ରକ୍ତଚାପ ଭାରତରେ ଦେଖାଯାଉଥିବା ସବୁଠାରୁ ବଡ଼ ରୋଗ। କେବଳ ହୃଦ୍‌ରୋଗ ଯୋଗୁଁ ୩୧% ଲୋକଙ୍କ ମୃତ୍ୟୁ ଏବଂ ଅସୁସ୍ଥ ହେଉଛନ୍ତି। ୨୦୦୧ ମସିହାରେ ୫୪ % ମସ୍ତିଷ୍କାଘାତ ଏବଂ ୪୭ % ହୃଦରୋଗ ଉଚ୍ଚ ରକ୍ତଚାପ ଯୋଗୁଁ ହୋଇଥିଲା। ସେହିଦିନ ଠାରୁ ଏହି ପରିସଂଖ୍ୟାନ ବୃଦ୍ଧି ପାଇବାରେ ଲାଗିଛି। ହୃଦ୍‌ଘାତ ଏବଂ ମସ୍ତିଷ୍କାଘାତ ଭଳି ରୋଗ ଚିକିତ୍ସା ଅତ୍ୟନ୍ତ ବ୍ୟୟ ବହୁଳ ଅଟେ। ମଧ୍ୟବିତ୍ତ ଏବଂ ନିମ୍ନମଧ୍ୟବିତ୍ତଙ୍କ ଆର୍ଥିକ ଅବସ୍ଥା ଏଥିଯୋଗୁଁ ପ୍ରଭାବିତ ହେଉଛି। ଅର୍ଥାତ ୨୦୧୧ରୁ ୨୦୨୫ ମସିହା ମଧ୍ୟରେ ଅସମୟରେ ମୃତ୍ୟୁ ଏବଂ ବିକଳାଙ୍ଗ ହେବା ଯୋଗୁଁ ୩.୭ ଟ୍ରିଲିୟନ ଡଲାର ଖର୍ଚ୍ଚ ହୋଇଥିଲା। ଯାହାକି ସମୁଦାୟ ଜିଡିପିର ୨ ପ୍ରତିଶତ ଅଟେ। ୱାର୍ଲଡ ଇକୋନୋମିକ ଫୋରମ ଅନୁସାରେ, ୨୦୧୨-୨୦୩୦ ମସିହା ମଧ୍ୟରେ କେବଳ ହୃଦ୍‌ରୋଗ ଯୋଗୁଁ ଭାରତୀୟ ଅର୍ଥନୀତି ୨ ଟ୍ରିଲିୟନ୍ ଡଲାରର କ୍ଷତି ସହିବ। ଜାତୀୟ ପରିବାର କଲ୍ୟାଣ ସର୍ଭେ-୫ ଅନୁଯାୟୀ, ବାଳିକା ତୁଳନାରେ ୧୫ ବର୍ଷୀୟ ବାଳକଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସର୍ବାଧିକ ଦେଖାଯାଏ। ଦକ୍ଷିଣ ଭାରତ ବିଶେଷକରି କେରଳରେ ଏବଂ ଉତ୍ତର ଭାରତର ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ଏହା ସର୍ବାଧିକ ଦେଖାଯାଉଛି। ଜାତୀୟସ୍ତରରେ ୩୮.୫ % ମହିଳା ଏବଂ ୪୯.୨ % ପୁରୁଷଙ୍କ ମଧ୍ୟରେ ଉଚ୍ଚରକ୍ତଚାପ ଦେଖାଯାଉଛି। ଉଚ୍ଚରକ୍ତଚାପ ଯାହାକି ହୃଦ୍‌ଘାତର ପ୍ରଥମ ସ୍ତର ହୋଇଥାଏ। ଉଚ୍ଚ ରକ୍ତଚାପ ଜରିଆରେ ମସ୍ତିଷ୍କାଘାତ ଏବଂ ହୃଦ୍‌ଘାତ ସହିତ ସମ୍ପର୍କ ଯୋଗୁଁ ଲୁଣ ଖାଇବା ହ୍ରାସ ପାଇଁ ଭାରତ ଗୁରୁତ୍ବ ଦେବା ଉଚିତ ବୋଲି ମତ ଦିଆଯାଉଛି। ବ୍ରିଟିସ ମେଡିକାଲ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ, ଜଣେ ୫୫ ବର୍ଷୀୟ ବ୍ୟକ୍ତି ଦୈନିକ ୨.୫ ଗ୍ରାମର ଲୁଣ କମ ଖାଇଲେ ରକ୍ତଚାପ ହ୍ରାସ ପାଇବ। ମସ୍ତିଷ୍କାଘାତ ୨୨ % ଏବଂ ହୃଦ୍‌ଘାତ ୧୬ % କମିଯିବ। ଲୁଣ ଖାଇବା କମ କରିବାରେ ହିଁ ଏହି ସମସ୍ୟାର ନିରାକରଣ ରହିଛି।
ସୋଡିୟମ ବ୍ୟବହାର କମ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଫୁଡ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଇଟ୍ ରାଇଟ୍‌ ଇଣ୍ଡିଆ ଅଭିଯାନ ପକ୍ଷରୁ ସବୁ ନାଗରିକଙ୍କ ପାଇଁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନକୁ ଗୁରୁତ୍ବ ଦିଆଯାଇଛି। ଏଥିରେ ସାମାଜିକ ଗଣମାଧ୍ୟମରେ ଆଜ ସେ ଥୋଡ଼ା କମ ଅଭିଯାନ ଆରମ୍ଭ କରାଯାଇଛି। ଏହାକୁ ଯଥାଶୀଘ୍ର ସଫଳତା ମିଳିବ ବୋଲି ଆଶା ରହିଛି।

Leave a Reply

Your email address will not be published. Required fields are marked *