କଟକ : କଟକ ବଡ଼ ଡାକ୍ତରଖାନାରେ ପ୍ରଥମଥର ପାଇଁ ଏକ୍ମୋ ସପୋର୍ଟରେ ଏକ ଜଟିଳ ଅସ୍ତ୍ରୋପଚାର କରାଯାଇଛି। ସିଟିଭିଏସ୍ ବିଭାଗର ଡାକ୍ତରମାନେ ଅସ୍ତ୍ରୋପଚାର ଦ୍ବାରା ସଫଳତାର ସହ ଶ୍ୱାସନଳୀରେ ହୋଇଥିବା ଟ୍ୟୁମର୍ କାଢ଼ିବାରେ ସକ୍ଷମ ହୋଇଛନ୍ତି। ଏକ୍ମୋ ମେସିନ୍ ସହାୟତାରେ ଏଭଳି ଅସ୍ତ୍ରୋପଚାର ସମ୍ଭବ ହୋଇଛି ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏଭଳି ଅସ୍ତ୍ରୋପଚାର ରାଜ୍ୟରେ ସରକାରୀ ବ୍ୟବସ୍ଥାରେ ପ୍ରଥମ ବୋଲି କୁହାଯାଉଛି।
ପ୍ରକାଶ ଯେ ଦେବଗଡ଼ ବାରକୋଟ ଦଣ୍ଡାସିଂଘାର ୨୧ ବର୍ଷ ବୟସ୍କ ରିଙ୍କୁ ଲୋହରାଙ୍କ ଶ୍ୱାସନଳୀରେ ଟ୍ୟୁମର୍ ବୃଦ୍ଧି ପାଇଥିଲା। ଫଳରେ ସେ ନିଃଶ୍ବାସପ୍ରଶ୍ୱାସ ନେବାରେ ସମସ୍ୟା ଭୋଗୁଥିଲେ। ମାର୍ଚ୍ଚ ୨୯ ତାରିଖରେ ପ୍ରଥମେ ସେ ପ୍ଲୁମ୍ନାରୀ ମେଡ଼ିସିନ୍ ବିଭାଗରେ ଭର୍ତ୍ତି ହୋଇଥିଲେ। ଶ୍ୱାସନଳୀରେ ଟ୍ୟୁମର୍(ଟ୍ରିକିଆ) ଥିବା ଜଣାପଡ଼ିବା ପରେ ଗତ ୫ ତାରିଖ ତାଙ୍କୁ କାର୍ଡିଓଥୋରାସସ୍ (ସିଟିଭିଏସ୍) ବିଭାଗରେ ଭର୍ତ୍ତି କରାଯାଇଥିଲା। ଏହାପରେ ଏକ୍ମୋ ମେସିନ୍ ସହାୟତାରେ ଫୁସ୍ଫୁସ୍ ବାହାରକୁ କଢ଼ାଯାଇ ଅମ୍ଳଜାନ ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ ଅସ୍ତ୍ରୋପଚାର ଦ୍ୱାରା ଡାକ୍ତରମାନେ ସଫଳତାର ସହ ଟ୍ୟୁମର୍ କାଢ଼ିବାରେ ସକ୍ଷମ ହୋଇଛନ୍ତି।
ବର୍ତ୍ତମାନ ରୋଗୀଜଣକ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ପୂର୍ବରୁ ଓଡ଼ିଶାରେ ଏଭଳି ରୋଗୀଙ୍କର କୌଣସି ଚିକିତ୍ସା ସମ୍ଭବପର ହେଉ ନ ଥିବା ଜଣାଯାଇଛି। ସିଟିଭିଏସ୍ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ, ଡାକ୍ତର ଚିତ୍ତରଞ୍ଜନ ଥଟୋଇ, ଡାକ୍ତର ଦେବାଶିଷ, ଡାକ୍ତର ସୁବ୍ରତ ଓ ଟିମ୍ ଏସ୍ସିବିରେ ଏହି ସଫଳ ଅସ୍ତ୍ରୋପଚାର କରିଥିଲେ।