Spread the love

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ପକ୍ଷରୁ ବିଭିନ୍ନ ଜି-୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଅନୁଷ୍ଠାନର ଏସ୍‌ଡିଜି କ୍ଳବ ପକ୍ଷରୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସବୁଜିମା ବୃଦ୍ଧି ପ୍ରସଙ୍ଗରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିରେ ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ନିଜ ନିଜ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଏଥିରେ ‘ସୁଲଭ ସ୍ଵଚ୍ଛ ଶକ୍ତି’, ‘ଅତ୍ୟାଧୁନିକ କୃଷି ପ୍ରଯୁକ୍ତି ବିଦ୍ୟା’, ‘ସ୍ମାର୍ଟ୍‌ ଚଟାଣ କ୍ଲିନର୍’ ଆଦି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିରେ ୟୁଏନ୍‌ଡିପି ପ୍ରକଳ୍ପ ନିରୀକ୍ଷକ ବେୱିନ୍ ଟମ୍, ଆର୍‌ଏସ୍‌ପିର ପୂର୍ବତନ ସିଜିଏମ୍‌ ପ୍ରବୋଧ ରଂଜନ ପାଢ଼ୀ ଯୋଗଦେଇଥିଲେ। ଏହାସହ ନିକଟରେ ଓଡ଼ିଶା-ସିକିମ୍‌ ମଧ୍ୟରେ ଅନୁଷ୍ଠିତ ଯୁବ ସଙ୍ଗମ୍‌ କାର୍ଯ୍ୟକ୍ରମର ବିଭିନ୍ନ ଫଟୋ ସଂଲଗ୍ନ ଗ୍ୟାଲେରୀ ପ୍ରଦର୍ଶିତ ହୋଇଥିଲା। ଫଟୋ ଗ୍ୟାଲେରୀ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ, ବିକାଶ, ପରମ୍ପରା ବିଷୟରେ ଅବଗତ କରାଯାଇଥିଲା।
ଏତଦ୍‌ବ୍ୟତୀତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁଷ୍ଠାନର ‘ଇ-ସେଲ୍ କ୍ଲବ’ ପକ୍ଷରୁ ‘ଜାତୀୟ ଉଦ୍ୟୋଗୀ ସମ୍ମିଳନୀ’ ଆୟୋଜିତ ହୋଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଭାରତୀୟ ଉଦ୍ୟୋଗ ପାଇଁ ଜି -୨୦ର ମହତ୍ତ୍ଵ ଏବଂ ପ୍ରାସଙ୍ଗିକତା ଉପରେ ଶିକ୍ଷା ଦିଆଯାଉଛି। ମୁଖ୍ୟ ଅତିଥିଭାବେ ଆର୍‌ଏମ୍‌ସି ଡେପୁଟି କମିସନର ରୋନିତ କୁମାର ଏଥିରେ ଯୋଗଦେଇଥିଲେ। ପୂର୍ବାହ୍ନରେ ଏକ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ସୁରକ୍ଷା କର୍ମୀ ଯୋଗଦେଇ କ୍ୟାମ୍ପସ୍‌ରେ ସଫେଇ ଅଭିଯାନ ଆରମ୍ଭ କରିଥିଲେ। କୁଳସଚିବ ପ୍ରଫେସର ରୋହନ ଧିମାନ ଯୋଗଦେଇଥିଲେ। ପ୍ରକାଶଥାଉକି, ଜି-୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅଧିନରେ ଆଗାମୀ ଦିନରେ ମାରାଥନ୍, ବୃକ୍ଷରୋପଣ ଅଭିଯାନ, କ୍ରୀଡ଼ା ମହୋତ୍ସବ, ସ୍ବତନ୍ତ୍ର ଅଧିବେଶନ, ବାଣିଜ୍ୟ ମେଳା ଆଦି ଆୟୋଜନ କରାଯିବ।

Leave a Reply

Your email address will not be published. Required fields are marked *