Spread the love

ଭୁବନେଶ୍ବର: ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ଏକ ବ୍ୟବସ୍ଥିତ ସରକାରୀ ଅନୁଷ୍ଠାନ, ଯାହାକି ପୂର୍ବରୁ ନଥିଲା। ଏହା ଦ୍ବାରା ଓଡ଼ିଶା ସରକାରଙ୍କ ସହିତ ପ୍ରବାସରେ ରହୁଥିବା ସମସ୍ତ ଓଡ଼ିଆ ଯୋଗାଯୋଗ ରଖିପାରିବେ। ପ୍ରବାସରେ ରହୁଥିବା ସମୟରେ ଯେଉଁ ଅସୁବିଧାର ସାମ୍ନା କରୁଥିବେ ତାହାର ସମାଧାନର ବାଟ ମଧ୍ୟ ଫିଟିବ। ଓଡ଼ିଶାକୁ ବିଶ୍ବ ଦରବାରରେ ଠିକଣା ଭାବେ ଉପସ୍ଥାପିତ କରିବାର ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ପାଲଟିବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରବିବାର ଏହା କହିଛନ୍ତି।
ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଯେଉଁ କ୍ୟାବିନେଟ ବୈଠକ ବସିଥିଲା, ଏଥିରେ ଏକ ଐତିହାସିକ ତଥା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ତଥା ବିଦେଶରେ ରହୁଥିବା ଓଡ଼ିଶାବାସୀଙ୍କ ପାଇଁ ଏକ ନିଷ୍ପତ୍ତି ନିଆଯାଇଛି। ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଏହା ପରିଚାଳିତ ହେବ। ଏହାର ଉଦ୍ଦେଶ୍ୟ ହେଲା ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଓଡ଼ିଆ ମଧ୍ୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇପାରିବେ। ଓଡ଼ିଶାର ବିକାଶରେ ଭାଗିଦାରୀ ହୋଇପାରିବେ। ଓଡ଼ିଶାର ସଂସ୍କୃତି, କଳା, ଭାସ୍କର୍ଯ୍ୟ, ଶିଳ୍ପ ଆଗକୁ ଯାଇପାରିବ, ଏଥି ପାଇଁ କାମକରିବ। ସାଂସ୍କୃତିକ ପ୍ରସାରଣ, କର୍ମଜୀବୀ ଛାତ୍ର କ୍ଲିୟରାନ୍ସ ଇତ୍ୟାଦି ସମ୍ବନ୍ଧୀର ସମସ୍ୟାର ସମାଧାନ ପାଇଁ ସରକାରୀ ବିଭାଗଗୁଡ଼ିକ ସହିତ ସମନ୍ବୟ ରଖି ଏକକ ପଏଣ୍ଟ ଭାବେ କାର୍ଯ୍ୟକରିବା, ଭାରତ ତଥା ବିଦେଶରେ ଓଡ଼ିଆ ସଂଗଠନଗୁଡ଼ିକୁ ତାଲିକାଭୁକ୍ତ କରିବା, ବ୍ୟକ୍ତିଗତ, ଆନୁଷ୍ଠାନିକ ତଥା ନାଗରିକ ସମାଜ ସ୍ତରରେ ପ୍ରବାସୀ ଓଡ଼ିଶାବାସୀଙ୍କ ସହଭାଗିତାରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟ, ପର୍ଯ୍ୟଟନ, ହସ୍ତତନ୍ତ୍ର, ହସ୍ତଶିଳ୍ପ ଓ କ୍ରୀଡ଼ାର ‌ପ୍ରୋତ୍ସାହନର ଉନ୍ନତି କରିବା।
ସେହିପରି ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ବିକାଶରେ ସଂପୃକ୍ତ ଅନୁଷ୍ଠାନଗୁଡ଼ିକୁ ତାଲିକାଭୁକ୍ତ କରିବା, ଭାରତ ଓ ବିଦେଶରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ଏବଂ ଓଡ଼ିଶା ସଂସ୍କୃତିର ସହିତ ସଂଶ୍ଲିଷ୍ଟ ଅନୁଷ୍ଠାନ ଗୁଡ଼ିକୁ ତାଲିକାଭୁକ୍ତ କରିବା, ଓଡ଼ିଆ ଐତିହ୍ୟର ପ୍ରସାର ଓ ଉତ୍କଳ ଦିବସ ତଥା ଓଡ଼ିଆ ବିଦ୍ବାନ ସୃଜନଶୀଳ ଲେଖକମାନଙ୍କୁ ନେଇ ବିଶ୍ବର ବିଭିନ୍ନ ପ୍ରାନ୍ତରେ ନିୟମିତ ଭାବେ ଓଡ଼ିଆ ସମ୍ମିଳନୀର ଆୟୋଜନ କରିବା, ଓଡ଼ିଆ ଭାଷା ଓ ସାହିତ୍ୟରେ ଉତ୍କର୍ଷଲାଭ କରିଥିବା ଅନବଦ୍ୟ କୃତିଗୁଡ଼ିକୁ ବିଭିନ୍ନ ଭାରତୀୟ ଓ ଅନ୍ତର୍ଜାତୀୟ ଭାଷାରେ ଅନୁବାଦ କରିବା, ଓଡ଼ିଶାରେ ପୁଞ୍ଜିବିନିଯୋଗର ସୃଷ୍ଟି କରିବା ଓ ପ୍ରବାସୀ ଓଡ଼ିଶାବାସୀଙ୍କ ପାଇଁ ଚାକିରିର ସୁଯୋଗ ସୃଷ୍ଟି କରିବା ନିମନ୍ତେ ଓଡ଼ିଆ ଅର୍ଥନୀତି ଓ ଦକ୍ଷତା ବିକାଶକୁ ପ୍ରୋତ୍ସାହନ କରିବା, ପ୍ରବାସୀ ଓଡ଼ିଶାବାସୀଙ୍କ ଅସୁବିଧା ସମୟରେ ସମ୍ଭାବ୍ୟ ସହାୟତା ପ୍ରଦାନ କରିବା। ଏହି ସବୁ ବିଷୟକୁ ନେଇ ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ। ଏହାର ସରଳ ଓ ସୁଗମ ବାଟ ପାଇଁ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଏକ ଉତ୍ସର୍ଗୀକୃତ ପୋର୍ଟାଲ ‘ପରିବାର ଦ ‌ପୋର୍ଟାଲ୍‌ ଫର୍‌ ପ୍ରବାସୀ ଓଡିଆଜ୍‌ କନେକ୍ଟିଙ୍ଗ୍‌ ଦ ରୁଟ୍‌ସ’ କାର୍ଯ୍ୟକାରୀ କରାଯିବ। ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ପରାମର୍ଶଦାତା ପରିଷଦ ରହିବ। ପରିଷଦର ସଦସ୍ୟମାନେ ରାଜ୍ୟ ସରକାରଙ୍କ ଦ୍ବାରା ମନୋନୀତ ‌ହେବେ‌। ସଦସ୍ୟମାନଙ୍କ ସଂଖ୍ୟା, କାର୍ଯ୍ୟ ଅବଧି ଏବଂ ସଦସ୍ୟତା ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ହେବ। ଓଡ଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ପରିଷଦର ସ୍ଥାୟୀ ସଦସ୍ୟ ହେବେ। ବିଭାଗୀୟ ସଚିବ ଏହାର ଆବାହକ ସଦସ୍ୟ ରହିବେ।
ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ରାଜ୍ୟ ମନ୍ତ୍ରିମଣ୍ଡଳର ୫୭ତମ ବୈଠକ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହାଇବ୍ରିଡ୍‌ମୋଡରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଜାପାନର ଟୋକିଓ ସହରରୁ ଭିଡିଓ କନଫରେନ୍ସି ମାଧ୍ୟମରେ ମନ୍ତ୍ରିମଣ୍ଡଳର ବୈଠକକୁ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଲୋକସେବା ଭବନ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଯୋଗ ଦେଇଥିଲେ। ଏହି ବୈଠକରେ ମୋଟ ୭ଟି ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଏହି ପ୍ରସ୍ତାବଗୁଡ଼ିକୁ ବିଚାର ପୂର୍ବକ ରାଜ୍ୟ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛନ୍ତି।

Leave a Reply

Your email address will not be published. Required fields are marked *