Spread the love

କରଞ୍ଜିଆ : ମୁକ୍ତା ହୋ’ଙ୍କ ମୃତ୍ୟୁରେ ଲୁହରେ ଭିଜିଥିଲା ପୂରା ପରିବାର। ସେ ଦୁଃଖ ଯାଇନି ପୁଣି ଦାଉ ସାଦିଲା ଦଇବ। ଶ୍ମଶାନରେ ଜୁଈ ଜଳୁଥିବା ବେଳେ ହଠାତ୍‌ ବଜ୍ରପାତ ହେଲା। ଜଳିଗଲା ଆମ୍ୱଗଛ ଓ ଗଛ ପାଖରେ ଥିବା ଘର। ଏଥିରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ଅଘଟଣ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନ୍‌ଏସିରେ ଘଟିଛି।
କରଞ୍ଜିଆ ଏନଏସି ୧୫ ନମ୍ବର ୱାର୍ଡ ମୁକ୍ତା ହୋ’ଙ୍କ ମୃତ୍ୟୁ ଘଟିଥିଲା। ସେଥିପାଇଁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତଦେହ ସତ୍କାର ପାଇଁ ପରିବାର ଓ ଆତ୍ମିୟ ସ୍ୱଜନ ଆସିଥିଲେ। ଅପରାହ୍ନରେ ମୃତଦେହ ସତ୍କାର କରିବା ପାଇଁ ପରିବାର ଓ ସମ୍ପର୍କୀୟମାନେ ଗାଁ ଶ୍ମଶାନକୁ ନେଇଥିଲେ। ଘରେ କେବଳ ମହିଳା ଥିଲେ। ଠିକ୍‌ ସେହି ସମୟରେ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ।
ପଶ୍ଚିମା ଝଡ଼ ପ୍ରଭାବରେ ପ୍ରବଳ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା। ଗୋଟିଏ ବିଜୁଳି ଘର ପାଖରେ ଥିବା ଆମ୍ୱ ଗଛକୁ ମାରିଥିଲା। ଯାହାର ପ୍ରଭାବରେ ଗଛ ପାଖରେ ଥିବା ଘରେ ନିଆଁ ଲାଗି ଯାଇଥିଲା। ବଜ୍ରପାତରେ ଗଛ ମୂଳରେ ଛିଡ଼ା ହୋଇଥିବା ମୁକ୍ତାଙ୍କ ସମ୍ପର୍କୀୟ ଯୁବତୀ ନାଏକ, ହେମଲାତା ହୋ ଓ ପଡ଼ୋଶୀ ସୁବାସୀନି ଦାସଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ପୋଡ଼ିଯାଇ ଆହତ ହୋଇଯାଇଛନ୍ତି।
ଚିତ୍କାର ଶୁଣି ସାହି ପଡ଼ିଶାମନେ ସେଠାକୁ ଧାଇଁ ଆସିଥିଲେ। ଗୁରୁତର ଥିବା ୪ ଜଣଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଘଟଣାଟି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମଙ୍କ ଘରଠାରୁ ଅଳ୍ପ ଦୂରରେ ଘଟିଥିଲା। ଏହି ଦୁଃଖଦ ଖବର ଶୁଣିବା ପରେ ସେ ମୃତକଙ୍କ ଘରେ ପହଞ୍ଚି ସମବେଦନା ଜଣାଇଛନ୍ତି। ଏଥିସହ ଗୁରୁତର ଆହତଙ୍କୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *