Spread the love

ଜଗତସିଂହପୁର : ଶ୍ମଶାନକୁ ରାସ୍ତା କରିବାକୁ ମାପଚୁପ ବେଳେ ଖଣ୍ଡଯୁଦ୍ଧ। ଏହି ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛି। ତେଣେ ପ୍ରାଥମକି ତଦନ୍ତ ପରେ ଏହି ଘଟଣା ସମ୍ପର୍କରେ ପୁଲିସ ମତ ରଖିବା ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ କହିବା କଥା, ପୁଲିସ ବାବୁ ମିଛ କହୁଛନ୍ତି। ଗତକାଲି ଏହି ଖଣ୍ଡଯୁଦ୍ଧରେ ସିରୋଳ ଗ୍ରାମର ଅଶୋକ ରାଉତ ଗୁରୁତର ହୋଇଛନ୍ତି। ସେହି ଗ୍ରାମର ପ୍ରସନ୍ନ ଲେଙ୍କା ଏବଂ ଅନିଲ ଲେଙ୍କା ଏହି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଏହି ଘଟଣା ପରେ ଶିରୋଳ ଗାଁରେ ଲାଗି ରହିଛି ତୀବ୍ର ଉତ୍ତେଜନା। ଉତ୍ତେଜନାକୁ ନେଇ ଅଭିଯୁକ୍ତ ସପରିବାର ଗାଁରୁ ଫେରାର୍ ହୋଇଯାଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ଏକ ବାଇକ୍‌ ଜାଳି ଦେଇଛନ୍ତି। ଖବର ପାଇ ଗାଁ’ରେ ପୁଲିସ ଫୋର୍ସ ସହ ଏସ୍‌ଡିପିଓ ଓ ଆଇଆଇସି ପହଞ୍ଚି ତଦନ୍ତ କରିଥିଲେ। ପରେ ଗାଁ ଲୋକଙ୍କୁ ପଚରାଉଚରା କରିଥିଲେ।
ଏହି ସମୟରେ ଏସ୍‌ଡିପି ପ୍ରଶାନ୍ତ କୁମାର ମାଝି କହିଥିଲେ, ଗାଁ ଶ୍ମଶାନକୁ ରାସ୍ତା ନିର୍ମାଣ ନିମନ୍ତେ ମାପଚୁପ ବିବାଦରୁ ଏହି ଘଟଣା ଘଟିଛି। ପ୍ରସନ୍ନ ଲେଙ୍କାଙ୍କ ବ୍ୟକ୍ତିଗତ ଜମିରେ ରାସ୍ତା ତିଆରି ହେଉଥିବାରୁ ସେ ପ୍ରତିବାଦ କରିଥିଲେ। ତାଙ୍କ ଅନୁମତି ନ ନେଇ ରାସ୍ତା ହେଉଥିବାରୁ ଗତକାଲି ଅଶୋକ ରାଉତଙ୍କ ସହ ପ୍ରଶନ୍ନ ଲେଙ୍କା ଏବଂ ପୁଅ ଅନିଲ ଲେଙ୍କାଙ୍କ ବଚସା ହୋଇଥିଲା। ଦୁଇପକ୍ଷ ଭିତରେ ଯାହା ସଂଘର୍ଷର ରୂପ ନେଇଥିଲା। ଏଥିରେ ଅଶୋକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ପରେ ଅଶୋକଙ୍କୁ ସମର୍ଥନ କରୁଥିବା ଗ୍ରାମବାସୀ ପ୍ରସନ୍ନଙ୍କ ଘରେ ପଶି ଉନ୍ମତକାଣ୍ଡ ଘଟାଇଛନ୍ତି ବୋଲି ଏସ୍‌ଡିପିଓ କହିଛନ୍ତି।
ପୁଲିସ ବାବୁଙ୍କ ଏହି ପ୍ରତିକ୍ରିୟାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ଗ୍ରାମବାସୀ। ଗ୍ରାମବାସୀ ଗଣେଶ ମଲ୍ଲିକ ଓ ଶିବପ୍ରସାଦ ଜେନା କହିଛନ୍ତି, ଘଟଣାର ତଦନ୍ତ ବେଳେ ପୁଲିସ ଯାହା ପଚାରିଥିଲା ଗ୍ରାମବାସୀ କହିଥିଲେ। ହେଲେ ପୁଲିସ ବାବୁ ଗଣମାଧ୍ୟମ ଆଗରେ ମିଛ କହୁଛନ୍ତି। ଗ୍ରାମବାସୀ ଅଭିଯୁକ୍ତଙ୍କ ଘରେ ଭଙ୍ଗା ରୁଜା କରିଥିବା ପୁଲିସ କହିବା ସମ୍ପୂର୍ଣ୍ଣ ମିଛ। କାରଣ ଗ୍ରାମବାସୀ ଗୁରୁତର ଯୁବକଙ୍କ ସହ ମେଡିକାଲ ଯାଇଥିଲେ। ଗାଁରେ କେବଳ ମହିଳାମାନେ ଥିଲେ। କିଛି ବ୍ୟକ୍ତିଙ୍କ ସହ ମିଶି ଅଭିଯୁକ୍ତ ନିଜ ଘରେ ଏଭଳି ଭଙ୍ଗା ରୁଜା କରିଛନ୍ତି। କୌଣସି ଗ୍ରାମବାସୀ ତାଙ୍କ ଘରେ ପଶି ନାହାନ୍ତି। ଅଶୋକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ ହୋଇଥିବାରୁ ପୁଲିସ ଏହାର ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରୁ ବୋଲି ଗ୍ରାମବାସୀ କହିଛନ୍ତି।
ସେପଟେ ଆଜି ଅଭିଯୁକ୍ତ ପରିବାର ଲୋକଙ୍କୁ ଅସହଯୋଗ କରିବାକୁ ଗାଁ’ ଲୋକଙ୍କ ଜରୁରୀ ବୈଠକ କରାଯାଇଛି ଓ ଘଣ୍ଟ ବାଜିଛି। ଯାହାକୁ ଗ୍ରାମବାସୀ ସ୍ୱୀକାର କରିଛନ୍ତି।

Leave a Reply

Your email address will not be published. Required fields are marked *