Spread the love

ଅନୁଗୋଳ : ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ନାରେ ଆତ୍ମହତ୍ୟା କରିବାକୁ ୩ ନର୍ସିଂ ଛାତ୍ରୀ ପେଟ୍ରୋଲ ଧରି ଆମରଣ ଅନଶନ କରିବା ଘଟଣାରେ ନର୍ସିଂ ସ୍କୁଲ ଅଧକ୍ଷଙ୍କୁ ଗିରଫ କଲା ପୁଲିସ। ଅଭିଯୁକ୍ତ ହେଲେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସ୍ଥିତ ସାଇ ଶ୍ରଦ୍ଧା ନର୍ସିଂ ସ୍କୁଲର ଅଧକ୍ଷ କୈଳାଶ ଚନ୍ଦ୍ର ଜେନା। ତାଙ୍କ ବିରୋଧରେ ଛାତ୍ରୀମାନେ ଏତଲା ଦେଇଥିଲେ। ଛାତ୍ରୀମାନଙ୍କ ଅଭିଯୋଗ ଥିଲା ଯେ, କଲେଜ ଅଧ୍ୟକ୍ଷ ଫେକ ଆଡ଼ମିଟ କାର୍ଡ଼ ପ୍ରଦାନ କରିବା ସହ ସେମାନଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ କରିଛନ୍ତି। ଏହି ଘରୋଇ ନର୍ସିଂ ସ୍କୁଲରେ ପାଠ ପଢ଼ୁଥିଲେ ହେଁ ସେମାନଙ୍କ ସହ ଅନ୍ୟାୟ କରାଯାଇଛି। ସେମାନେ ସ୍କୁଲର ସମସ୍ତ ଫିସ ଦେଇଥିଲେ। ସେମାନଙ୍କୁ ପରୀକ୍ଷା ଦେବାକୁ କୁହାଯାଇଥିଲା । ତେବେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ସେମାନଙ୍କ ଆଡ଼ମିଟ କାର୍ଡ ନକଲି ବୋଲି କୁହାଯାଇଥିଲା। ସେମାନଙ୍କୁ ପରୀକ୍ଷାରୁ ବଞ୍ଚିତ କରାଗଲା। ସେମାନେ ଏନେଇ ସ୍କୁଲର ଅଧ୍ୟକ୍ଷ ଓ ଅନ୍ୟମାନଙ୍କୁ ଅଭିଯୋଗ କରିଥିଲେ। ହେଲେ ଅଧ୍ୟକ୍ଷ ଗାଳିଗୁଲଜ କରିବାରୁ ଏହା ବିରୁଦ୍ଧରେ ସେମାନେ ପୁଲିସ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ।
ଆଜି କଲେଜ ଅଧ୍ୟକ୍ଷ ଗିରଫ ପରେ ଛାତ୍ରୀମାନଙ୍କ ଗୋଟିଏ ଦାବି ପୂରଣ ହୋଇଛି। ଅନ୍ୟ ୪ଟି ଦାବି କେବେଳ ପୂରଣ ହେବ ତାହା ଦେଖିବାର କଥା। ସେମାନଙ୍କ ପ୍ରମୁଖ ୪ ଦାବି ଥିଲା ପରୀକ୍ଷା ଦେବାକୁ ସୁଯୋଗ ଦେବା, ସେମାନଙ୍କ ପ୍ରତି ଅନ୍ୟାୟ କରିଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ପ୍ରଦାନ, ଭବିଷ୍ୟତ ନଷ୍ଟ କରିଥିବାରୁ କଲେଜକୁ ବନ୍ଦ କରିବା, ପରୀକ୍ଷା ଦେବାର ବ୍ୟବସ୍ଥା କରିବା।
ଗତ ୩୧ ତାରିଖରେ ଏହି ଛାତ୍ରୀମାନେ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପେଟ୍ରୋଲ ଲୁଚାଇ ରଖି ଆମରଣ ଅନଶନରେ ବସିଥିଲେ। ସେମାନେ ଆତ୍ମହୁତି ଦେବାକୁ ପେଟ୍ରୋଲ ଧରି ଆସିଥିବା ପୁଲିସ ଜାଣିବା ପରେ ଚଢ଼ଉ କରି କଲେଜ ବ୍ୟାଗ୍‌ରୁ ପେଟ୍ରୋଲ ଜବତ କରିଥିଲା। ସେପଟେ ଛାତ୍ରୀମାନଙ୍କ ଅଭିଯୋଗର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଭରସା ଦେଇଥିଲେ। ତେଣୁ ଛାତ୍ରୀମାନେ ଅନଶନରୁ ଉଠିଥିଲେ।
ସୂଚନା ଥାଉକି, ଚଳିତ ବର୍ଷ ଏହି ନର୍ସିଂ ସ୍କୁଲର ପାଠପଢ଼ୁଥିବା ୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ସାଧାରଣ ବର୍ଗର ୧୪ ଜଣଙ୍କୁ ପରୀକ୍ଷା ଦେବାର ସୁଯୋଗ ଦିଆଗଲା। ୭ ଜଣ ଏସ୍‌/ଏସ୍‌ଟି ଛାତ୍ରୀଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯାଇଥିଲା। ଯାହା ଭିତରେ ଏହି ଛାତ୍ରୀ ଥିବା ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *