ଭୁବନେଶ୍ବର: ସିଟି ଆଣ୍ଡ ଜିଏସ୍ଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ପୁଳାପୁଳା ସଂପତ୍ତି ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭିଜିଲାନ୍ସ ଯାଞ୍ଚ ବେଳେ ୨ଟି ଲକରରୁ ୧.୦୬୦ କିଲୋ ସୁନା ଗହଣା ସମେତ ୧୯ଟି ସୁନା ବିସ୍କୁଟ ଠାବ ହୋଇଛି। ପୂର୍ବରୁ ମିଳିଥିବା ସୁନାଗହଣା ମିଶାଇ ମୋଟ ୬୪ ଲକ୍ଷ ଟଙ୍କାର ଗହଣା ଠାବ ହୋଇଛି। ସେହିପରି ତାଙ୍କ ଠାରୁ ନଗଦ ୬ ଲକ୍ଷ ୫୯ ହଜାର ଟଙ୍କା, ୧କୋଟି ୪ ଲକ୍ଷ ଟଙ୍କାର ବ୍ୟାଙ୍କ ଏବଂ ବୀମା ଓ ମୁଚୁଆଲ ଫଣ୍ଡରେ ନିବେଶ ଆଦି ଠାବ ହୋଇଛି।
ଶ୍ରୀ ମହାନ୍ତିଙ୍କ କଟକ ସିଡିଏରେ ଥିବା ଦୁଇ ମହଲା କୋଠାର ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି। ତାଙ୍କ ପାଖରେ ଥିବା କାର୍ (କିଆ ସେଲଟସ୍)ର ମୂଲ୍ୟ ୧୫ ଲକ୍ଷ ଟଙ୍କା ହୋଇଥିଲା ବେଳେ, ଏକ ଦୁଇଚକିଆ ବାହନ (ଆକ୍ଟିଭା) ଓ ୧୧ ଲକ୍ଷ ୩୦ ହଜାର ଟଙ୍କାର ଘରସାମଗ୍ରୀ ଠାବ ହୋଇଛି। ସୂଚନାଯୋଗ୍ୟ, ଶ୍ରୀ ମହାନ୍ତି ଗତ ଗତ ୩୧ ତାରିଖରେ ଜଣେ ଅଭିଯୋଗକାରୀଙ୍କ ଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।