Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଭୋପାଳ-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ରାଣୀ କମଲପତି ଷ୍ଟେସନରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ସୂଚନା ରହିଛି। ଦେଶର ଏହି ୧୧ତମ ବନ୍ଦେ ଭାରତ ଏକ୍ସପ୍ରେସ୍‌ଟି ୭.୪୫ ଘଣ୍ଟା ମଧ୍ୟରେ ୭୦୮ କିଲୋମିଟର ଦୂରତା ଅତିକ୍ରମ କରିବ।
ପ୍ରଧାନମନ୍ତ୍ରୀ ମୋଦୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଭାରତର ନୂତନ ବିକାଶର ପ୍ରତୀକ ଏବଂ ଦେଶର ପ୍ରତ୍ୟେକ କୋଣରେ ଏହାର ଚାହିଦା ରହିଛି ବୋଲି କହିବା ସହ ବିରୋଧୀ ଦଳ କଂଗ୍ରେସକୁ ସମାଲୋଚନା କରିଛନ୍ତି।
ସେ କଂଗ୍ରେସକୁ ଆକ୍ଷେପ କରି କହିଛନ୍ତି କି ଏକ୍ସପ୍ରେସ୍‌ ଚଳାଚଳର ଶୁଭାରମ୍ଭକୁ ନେଇ ‘ଗ୍ରାଣ୍ଡ୍‌ ଓଲ୍‌ଡ ପାର୍ଟି’ କହିବ କି ମୋଦୀ ଏପ୍ରିଲ୍‌ ଫୁଲ୍‌ କରିଛନ୍ତି, କିନ୍ତୁ ଆଜି ହିଁ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରାଯିବ।’
ମୋଦୀ ଆହୁରି ବି କହିଛନ୍ତି ଯେ ‘ପୂର୍ବ ସରକାର ଭାବୁଥିଲେ କେବଳ ଗୋଟାଏ ପରିବାର ହେଉଛି ଦେଶର ପ୍ରଥମ ପରିବାର। ଭାରତର ମଧ୍ୟବିତ୍ତ ପରିବାରର ଆବଶ୍ୟକତା ପ୍ରତି ସେ କେବେ ଧ୍ୟାନ ଦେଇନାହାନ୍ତି, ଭାରତୀୟ ରେଳ ହେଉଛି ଏହାର ସବୁଠାରୁ ବଡ ଉଦାହରଣ। ଭାରତୀୟ ରେଳ ହେଉଛି ସାଧାରଣ ଲୋକଙ୍କର ଯାତ୍ରା। ଗତ ୯ ବର୍ଷ ମଧ୍ୟରେ ଆମେ ଭାରତୀୟ ରେଳବାଇକୁ ବିଶ୍ୱରେ ସର୍ବୋତ୍ତମ କରିବା ପାଇଁ ଉଦ୍ୟମ କରୁଛୁ। ୯୦୦ ଷ୍ଟେସନରେ ସିସିଟିଭି ଲଗାଯାଇଛି।’ ଏହାଛଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ସୁପର୍‌ହିଟ୍‌ ହୋଇଛି ବୋଲି ବି ସେ ଦାବି କରିଛନ୍ତି।
ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ ଟ୍ରେନରେ ଯାତ୍ରା କରିବା ବର୍ତ୍ତମାନ ଅଧିକ ସୁରକ୍ଷିତ ହୋଇଛି ଏବଂ ଟ୍ରେନ୍ ଗୁଡିକ ଅଧିକ ପରିଷ୍କାର ବି ରହୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବନ୍ଦେ ଭ‌ାରତ ଏକ୍ସପ୍ରେସ୍‌ ନୂତନ ନିଯୁକ୍ତି ସୁଯୋଗ ଏବଂ ବିକାଶ ଆଣିବ।
ମଧ୍ୟପ୍ରଦେଶ ରେଳପଥ ପାଇଁ ଆବଣ୍ଟିତ ୧୩,୦୦ କୋଟି ଟଙ୍କାର ରେଳ ବଜେଟକୁ, ପୂର୍ବରୁ ଦିଆଯାଇଥିବା କେବଳ ୬୦୦ କୋଟି ରେଳ ବଜେଟ୍ ସହ ପ୍ରଧାନମନ୍ତ୍ରୀ ମୋଦୀ ତୁଳନା କରିଛନ୍ତି। ମଧ୍ୟପ୍ରଦେଶ ବିକାଶ ପଥରେ ଯାଉଥିବାରୁ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ସକାଳେ ଭୋପାଳରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କରିବା ପୂର୍ବରୁ ମିଳିତ କମାଣ୍ଡର ସମ୍ମିଳନୀରେ ଯୋଗ ଦେଇଥିଲେ। ଆପଣ ଜାଣିଥିବେ ଯେ ଭାରତୀୟ ଜନତା ପାର୍ଟି ଶାସିତ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଚଳିତବର୍ଷ ଶେଷ ସୁଦ୍ଧା ହେବ।

Leave a Reply

Your email address will not be published. Required fields are marked *