Spread the love

ଢେଙ୍କାନାଳ : ୨ ମହିଳାଙ୍କୁ କଚାଡ଼ି ମାରିଦେଲା ହାତୀ। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଦୁଦୁରକୋଟ ଅଞ୍ଚଳରେ। ମୃତ ମହିଳା ଦ୍ୱୟ ହେଲେ ଦୁଦୁରକୋଟ ଅଞ୍ଚଳର ବାଘୁଆ ସାହିର ପୁଟି ସାମଲ ଓ ଅଗାରି ସାମଲ।
ଆଜି ସକାଳେ ପୁଟି ଓ ଆଗାରି ମହୁଲ ଗୋଟାଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ସେମାନେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀକୁ ଦେଖି ପୁଟି ଓ ଆଗାରି ଭୟଭୀତ ହୋଇପଡ଼ିଥିଲେ। ନିଜକୁ ବଞ୍ଚାଇବା ପାଇଁ ଦୌଡ଼ିବା ଆରମ୍ଭ କରିଥିଲେ। ହେଲେ ହାତୀ ମଧ୍ୟ ସେମାନଙ୍କ ପଛରେ ଗୋଡ଼ାଇଥିଲା। ଶେଷରେ ହାତୀ ଦୁଇ ଜଣ ମହିଳାଙ୍କୁ ଜଙ୍ଗଲରେ ଦଳି ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।
ସ୍ଥାନୀୟ ଲୋକେ ଉଭୟଙ୍କ ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ମୃତଦେହକୁ ସେଠାରୁ ଆଣି ଦୁଦୁରକୋଟ ଛକ ନିକଟରେ ରଖି ରାସ୍ତରୋକ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି। ବାରମ୍ବାର ବାରମ୍ବାର ହାତୀ ଆକ୍ରମଣରେ ଗୋଟିଏ ପରେ ଗୋଟିଏ ଅମୂଲ୍ୟ ଜୀବନ ଯାଉଥିବା ବେଳେ ବନ ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତରୋକ ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ।

Leave a Reply

Your email address will not be published. Required fields are marked *