Spread the love

ଭୁବନେଶ୍ବର/ବଲାଙ୍ଗୀର : ଗୋଟିଏ ପରେ ଗୋଟିଏ ୬ଟି ଜିଲ୍ଲାରୁ ନକଲି ସାର୍ଟିଫିକେଟ୍‌ଧାରୀ ଧରାପଡ଼ିଲେଣି। କିନ୍ତୁ ବାକି ସବୁ ଜିଲ୍ଲାରେ ହେଉନି ଧରପଗଡ଼। ପ୍ରଶାସନ ମୁଣ୍ଡ ପୂରାଉନି କି ଓଡ଼ିଶା ପୁଲିସ ତଦନ୍ତକୁ ଆଗକୁ ନେଉନି। ବଲାଙ୍ଗୀର ଘଟଣାକୁ ନେଇ ପୁଲିସ ଯେତିକି ଖୋଳତାଡ଼ କରିଛି, ସେତିକିରେ ଅଟକି ଯାଇଛି ଏହି ବିଶାଳ ରୢାକେଟ୍‌ର କଳା କାରନାମା। ରାଜ୍ୟର ଆଉ କେଉଁ ସବୁ ଜିଲ୍ଲାରେ ଏହି ରୢାକେଟ୍‌ ସକ୍ରିୟ ରହିଛି, ଖୋଳତାଡ଼ ହେଉନଥିବାରୁ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି।
ବାକି ଜିଲ୍ଲାଗୁଡ଼ିକରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇନଥିବାରୁ ଅପରାଧୀମାନେ ଖସିଯିବା ସହଜ ହେବ। ଯେଉଁମାନେ ନକଲି ସାର୍ଟିଫିକେଟ୍‌ ଦାଖଲ କରି ଡାକ ବିଭାଗ ଚାକିରି ପାଇଁ ଆବେଦନ କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଟେର୍‌ ମିଳୁନି। ଆଉ କିଛି ଡକ୍ୟୁମେଣ୍ଟ ଯାଞ୍ଚ କରିବାକୁ ଜିଲ୍ଲା ମୁଖ୍ୟାଳୟକୁ ଆସୁ ନାହାନ୍ତି। ବଲାଙ୍ଗୀର ଘଟଣା ପୂର୍ବରୁ ଯେଉଁ ପରିମାଣର ପ୍ରାର୍ଥୀ ସାର୍ଟିଫିକେଟ୍‌ ଯାଞ୍ଚ କରିବାକୁ ଆସୁଥିଲେ, ଏବେ ତାହା ହ୍ରାସ ପାଇଛି। ପ୍ରତି ଜିଲ୍ଲାରେ ୫ରୁ ଅଧିକ ପ୍ରାର୍ଥୀ ସାର୍ଟିଫିକେଟ୍‌ ଯାଞ୍ଚ ବେଳେ ଅନୁପସ୍ଥିତ ରହୁଥିବା ଖବର ମିଳୁଛି।
ଏଣେ ଦିନକୁ ଦିନ ବଲାଙ୍ଗୀର ଘଟଣାର ଗୁମର ବେଶି ବେଶି ଖୋଲିବାରେ ଲାଗିଛି। ଏକ ବଡ଼ ନେଟ୍‌ୱର୍କ ଏହି କାରବାର ପଛରେ ଥିବା ସ୍ପଷ୍ଟ ହେଲାଣି। ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦ୍‌ଗାତା ଧରାପଡ଼ିବା ପରେ ଦଲାଲମାନଙ୍କୁ ଟାର୍ଗେଟ କରିଛି ପୁଲିସ। ବଲାଙ୍ଗୀର ପୁଲିସର ଏକାଧିକ ଟିମ୍‌ ଆଖାପାଖ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ମନୋଜ ଓ ଆଲୋକ ସହ ଲିଙ୍କ୍‌ରେ ଥିବା ଦଲାଲମାନଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପୁଲିସ ମନୋଜଙ୍କୁ ଗିରଫ କରିବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ବିବରଣୀ ସଂଗ୍ରହ କରିଥିଲା। ରାଜ୍ୟ ବାହାରର କିଛି ଲୋକଙ୍କୁ ଏହି ଆକାଉଣ୍ଟରୁ ଟଙ୍କା ଯାଇଥିବା ପୁଲିସ ତଦନ୍ତରୁ ଜାଣି ପାରିଛି।
ବଲାଙ୍ଗୀର ପୁଲିସ ଗଠନ କରିଥିବା ୪ଟି ଟିମ୍‌ ଏସ୍‌ପିଙ୍କ ତତ୍ତ୍ବାବଧାନରେ ତଦନ୍ତ କରୁଛନ୍ତି। ୪ଟି ଟିମ୍‌ ମଧ୍ୟରୁ ଗୋଟିଏ ହେଉଛି ଟିମ୍‌ ସାଇବର ପୁଲିସ ଟିମ୍‌। ମନୋଜଙ୍କ କୋଚିଂ ସେଣ୍ଟରରୁ ଜବତ ହୋଇଥିବା ହାର୍ଡ ଡିସ୍କ ଓ କମ୍ପ୍ୟୁଟରକୁ ଏହି ଟିମ୍‌ ଯାଞ୍ଚ କରିବ। ଗୋଟିଏ ଟିମ୍‌ ମନୋଜଙ୍କ ବ୍ୟାଙ୍କ ଆକାଉଣ୍ଟର କାରବାର ଦିଗରେ ତଥ୍ୟ ଯୋଗାଡ଼ କରୁଥିବା ବେଳେ ଅନ୍ୟ ଟିମ୍‌ ଜିଲ୍ଲା ଓ ଜିଲ୍ଲା ବାହାରକୁ ଯାଇ ମନୋଜଙ୍କ ନେଟୱର୍କ ତଥା ସିଣ୍ଡିକେଟ୍‌ରେ ଥିବା ଦଲାଲଙ୍କୁ ଧରିବ। ଅନ୍ୟ ଗୋଟିଏ ଟିମ୍‌ ବାହାର ରାଜ୍ୟକୁ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ଏହା ଭିତରେ ଆଉ ଏକ ତଥ୍ୟ ପୁଲିସ ହାତରେ ଲାଗିଛି। ମନୋଜ ବହୁ ପରିମାଣର ଜମି କିଣିଛି। ନକଲି ସାର୍ଟିଫିକେଟ କାରବାର ରୋଜଗାରରୁ ସେ ଜମି କିଣିଥିବା ପୁଲିସ ସନ୍ଦେହ କରୁଛି। ତେଣୁ ଜବତ ହୋଇଥିବା ଜମିର କାଗଜପତ୍ରକୁ ଟିକିନିକି ଯାଞ୍ଚ କରାଯାଉଥିବା ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ସୁରକ୍ଷା ଦେଉଥିଲେ କୁଖ୍ୟାତ ଅପରାଧୀ!
ମାଷ୍ଟରମାଇଣ୍ଡ ମନୋଜ ମିଶ୍ରର ଅପରାଧୀ ଲିଙ୍କ୍‌ ପଦାକୁ ଆସିଛି। କୁଖ୍ୟାତ ଅପରାଧୀ ବବ୍‌ଲୁ ମହାନନ୍ଦ ବି ମନୋଜଠାରୁ ଏକ ସାର୍ଟିଫିକେଟ ନେଇଥିଲା। ବବ୍‌ଲୁ ବିଜ୍ଞାନର ଛାତ୍ର ହିସାବରେ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ନକଲି ସାର୍ଟିଫିକେଟ ଦେଇଥିଲା ମନୋଜ। ବବ୍‌ଲୁ ନାଁରେ ବହୁ ଅପରାଧିକ ମାମଲା ଥିବା ବେଳେ କେଉଁ କାରଣରୁ ସେ ସାର୍ଟିଫିକେଟ ନେଇଥିଲା? ବବ୍‌ଲୁ ଅନ୍ୟ ରାଜ୍ୟରେ ଅପରାଧ ଘଟାଇବାକୁ ଏହି ଯୋଜନା କରିଥାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ବବ୍‌ଲୁ ଭଳି ଆଉ କେତେ ଅପରାଧୀ ମନୋଜଠାରୁ ନକଲି ସାର୍ଟିଫିକେଟ ନେଇଛନ୍ତି, ତଦନ୍ତ କରୁଛି ବଲାଙ୍ଗୀର ପୁଲିସ।

Leave a Reply

Your email address will not be published. Required fields are marked *