Spread the love

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ଦେଶର ବୃହତ୍ ୫ଟି କର୍ପୋରେଟ ଗ୍ରୁପକୁ ଭାଙ୍ଗିବାକୁ ପରାମର୍ଶ ଦେଇଛନ୍ତି । ରିଲାଏନ୍ସ ଗ୍ରୁପ୍, ଟାଟା ଗ୍ରୁପ୍, ଆଦିତ୍ୟ ବିର୍ଲା ଗ୍ରୁପ୍, ଆଦାନି ଗ୍ରୁପ୍ ଓ ଭାରତୀ ଟେଲିକମ୍ (ଭାରତୀ ଏୟାରଟେଲ୍) ହେଉଛନ୍ତି ଦେଶର ୫ଟି ବୃହତ୍ କର୍ପୋରେଟ୍ ଗ୍ରୁପ ବା ବିଗ୍-ଫାଇଭ୍ ବୋଲି ସେ ବର୍ଣ୍ଣନା କରିଛନ୍ତି ।
ଏହି ୫ଟି ବୃହତ୍ କମ୍ପାନିଙ୍କ ଆଧିପତ୍ୟ ଯୋଗୁଁ ଦେଶର ହଜାର ହଜାର କ୍ଷୁଦ୍ର କମ୍ପାନିଗୁଡ଼ିକ ଉନ୍ନତି କରିପାରୁନାହାନ୍ତି ବୋଲି ବିରଳ ଆଚାର୍ଯ୍ୟ ନିଜର ଏକ ରିପୋର୍ଟରେ କହିଛନ୍ତି । ସେ କହିଛନ୍ତି ଯେ ଖୁଚୁରା କ୍ଷେତ୍ର, ପ୍ରାକୃତିକ ସମ୍ବଳ ଏବଂ ଟେଲିକମ୍ୟୁନିକେସନ୍ କ୍ଷେତ୍ରରେ ଏହି କଂପାନିଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରିବାର ଯଥେଷ୍ଟ କ୍ଷମତା ରହିଛି । ( ଉଦାହରଣସ୍ବରୂପ ଦେଶର ଟେଲିକମ ଜଗତରେ ଏବେ ଦୁଇଟି କମ୍ପାନି-ରିଲାଏନ୍ସ ଜିଓ ଓ ଏୟାରଟେଲ ଆଧିପତ୍ୟ ବିସ୍ତାର କରିଛନ୍ତି । ଦର ନିର୍ଦ୍ଧାରଣ କରିବାରେ ସେମାନେ ଏହି ଆଧିପତ୍ୟକୁ ବ୍ୟବହାର କରୁଛନ୍ତି ) । ମୁଦ୍ରାସ୍ଫୀତି ବଢ଼ାଇବାରେ ମଧ୍ୟ ଏହି କଂପାନିଗୁଡ଼ିକର ହାତ ରହିଛି, ତେଣୁ ଏଗୁଡ଼ିକୁ ଭାଙ୍ଗି ଦିଆଯିବା ଦରକାର ।
୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଥିବା ବିରଳ ଆଚାର୍ଯ୍ୟ କହିଛନ୍ତି ଯେ ସରକାରଙ୍କ ଭାରି ଶୁଳ୍କ ଯୋଗୁଁ ଦେଶର ବଡ଼ ବଡ଼ କଂପାନିଗୁଡ଼ିକ ସୁରକ୍ଷା ପାଉଛନ୍ତି ଏବଂ ବିଦେଶୀ କମ୍ପାନିମାନେ ସେମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରୁନାହାନ୍ତି। ନ୍ୟୁୟର୍କ ୟୁନିଭର୍ସିଟି ଷ୍ଟର୍ନ ସ୍କୁଲର ଅର୍ଥନୀତି ର ପ୍ରଫେସର ଆଚାର୍ଯ୍ୟ କହିଛନ୍ତି ଯେ ପ୍ରତିଯୋଗିତା ବୃଦ୍ଧି ଏବଂ ମୂଲ୍ୟ ନିର୍ଦ୍ଧାରଣ କ୍ଷମତା ହ୍ରାସ କରିବା ପାଇଁ ବଡ ୫ ଟି କମ୍ପାନୀକୁ ଭାଙ୍ଗିବା ଉଚିତ୍ ।

Leave a Reply

Your email address will not be published. Required fields are marked *