Spread the love

ଭୁବନେଶ୍ବର : କୋଭିଡ ଟିକା ନେବା ପରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇପାରେ। ଏହା ଅତ୍ୟନ୍ତ କମ୍ ଲୋକଙ୍କ ଦେହରେ ନକାରାତ୍ମକ ପ୍ରଭାବ ପକାଇ ପାରେ ବୋଲି ସରକାର ଲୋକଙ୍କୁ ସତର୍କ କରାଇଥିଲେ। ଏବେ ଦେଖାଯାଇଛି, ଓଡ଼ିଶାରେ କୋଭିଡ ଟିକା ନେବା ପରେ ୫୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଟିକା ନେବା ପରେ ଓଡ଼ିଶାରେ ୮୦ଜଣ ଗୁରୁତର ହୋଇଥିବା ବେଳେ, ୧,୫୫୨ଜଣଙ୍କ ପାଖରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା।
ଲୋକସଭାରେ ମାର୍ଚ୍ଚ ୨୪ ତାରିଖ ଦିନ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ଭାରତୀ ପ୍ରବୀଣ ପାୱାର ଏହି ଉତ୍ତର ଦେଇଛନ୍ତି। ସେହିଭଳି କୋଭିଡ ଟିକା ନେବା ପରେ ସାରା ଦେଶରେ ୧,୧୫୬ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଟିକା ନେବା ପରେ କେରଳରେ ସର୍ବାଧିକ ୨୪୪ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି।
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ଲୋକେ କୋଭିଡ ଟିକା ନେବାବେଳେ `କୋୱିନ୍‌’ ପୋର୍ଟାଲ ଓ `ସେଫଭାକ୍’ ଆପ୍ଲିକେସନରେ ତଥ୍ୟ ସଂଗ୍ରହ କରାଯାଉଥିଲା। ଟିକା ନେଉଥିବା ବ୍ୟକ୍ତିଙ୍କଠାରେ ଯଦି କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଥିଲା ତେବେ ଟିକା ଦେଉଥିବା ସ୍ୱାସ୍ଥ୍ୟ କର୍ମୀ ଓ ଟିକା ନେଉଥିବା ବ୍ୟକ୍ତି ମଧ୍ୟ ତାହା ରିପୋର୍ଟ କରିପାରୁଥିଲେ।
କୋୱିନ୍‌ ପୋର୍ଟାଲରେ `ଆଡଭର୍ସ ଇଭେଣ୍ଟ ଫଲୋଇଙ୍ଗ ଇମ୍ୟୁନାଇଜେସନ’ ବା `ଏଇଏଫଆଇ’ ସଂପର୍କରେ ଲୋକଙ୍କୁ ଆଗୁଆ ସତର୍କ କରାଇ ଦିଆଯାଇଥିଲା। ଟିକା ନେଲା ପରେ କିଛି ଲୋକଙ୍କ ଦେହରେ ଟିକା ନେବା ସ୍ଥାନରେ ସାମାନ୍ୟ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ସାମାନ୍ୟ ଜ୍ୱର ଭଳି ଲକ୍ଷଣ ଦେଖାଦେଇଥିଲା। ତେବେ ପ୍ରାୟ ସମସ୍ତେ ଟିକା ନେବା ଉଚିତ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା।

Leave a Reply

Your email address will not be published. Required fields are marked *