Spread the love

ଭଦ୍ରକ: ଐତିହାସିକ ପ୍ରସିଦ୍ଧ ଶ୍ରୀରାମ ନବମୀ ମହାଯଜ୍ଞ ପାଇଁ ମଙ୍ଗଳବାର ଅପରାହ୍ନ ୩ଟାରେ ଏକ ବିଶାଳ କଳସ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭଦ୍ରକର ଗାନ୍ଧି ପଡ଼ିଆଠାରେ ଅନୁଷ୍ଠିତ ଶ୍ରୀରାମ ନବମୀ ମହାଯଜ୍ଞ ମହୋତ୍ସବ ପାଇଁ ଯଜ୍ଞ କମିଟି ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁ ରାମଭକ୍ତ କଳସ ଶୋଭାଯାତ୍ରା ସାମିଲ ହୋଇଥିଲେ। ମହିଳାମାନଙ୍କ ଦ୍ବାରା ୩୦୦୮ଟି କଳସ ସାହାପୁର ସାଳନ୍ଦୀ ନଦୀ ଘାଟରୁ ଅଣାଯାଇଥିବା ବେଳେ ଏଇ କଳସ ଶୋଭାଯାତ୍ରାରେ ୧୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗଦେଇଥିଲେ।
ଗାନ୍ଧି ପଡିଆରୁ ଶୋଭାଯାତ୍ରା ବାହାରି ଭଦ୍ରକର ଅସ୍ଥଳ ଦେଇ ସାହାପୁର ସାଳନ୍ଦୀ ଘାଟକୁ ଜଳ ଆଣିବା ପାଇଁ କଳସ ନେଇ ମହିଳା ଭକ୍ତମାନେ ଯାଇଥିଲେ। ସେଠାରୁ ଜଳ ଉଠାଇ ବନ୍ତ ଛକ, ଅପର୍ତ୍ତିବିନ୍ଧାଛକ, ପୁରୁଣା କଚେରୀ ବଜାର, ଟାଉନହଲଛକ ଦେଇ ନୂଆବଜାର ସ୍ଥିତ ଗାନ୍ଧି ପଡିଆକୁ ଶୋଭାଯାତ୍ରା ଆସିଥିଲା। ଏଇ କଳସ ଶୋଭାଯାତ୍ରା ଗାନ୍ଧି ପଡ଼ିଆରେ ପହଞ୍ଚିବା ପରେ ଗାନ୍ଧି ପଡ଼ିଆର ଯଜ୍ଞ ସ୍ଥଳରେ ଘଟ ସ୍ଥାପନ କରାଯାଇଥିଲା। ୩୦୦୮ କଳସକୁ ସୁସଜ୍ଜିତ କରି ରଖାଯିବା ପରେ ଯଥା ରୀତି ପୂଜା ଅର୍ଚ୍ଚନା ଆରମ୍ଭ କରାଯାଇଥିଲା। ପ୍ରଭୁ ଶ୍ରୀ ରାମ ଚନ୍ଦ୍ର, ଦେବୀ ସୀତା, ଅନୁଜ ଲକ୍ଷ୍ମଣ ଓ ବୀର ହନୁମାନଙ୍କର ପୂଜା ଅର୍ଚ୍ଚନା ଯଥା ରୀତି ନୀତି ଅନୁଯାୟୀ କରାଯାଇଥିଲା।
ଆଜିଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ନବମୀ ମହାଯଜ୍ଞ ମହୋତ୍ସବରେ ଭଦ୍ରକ ଜିଲ୍ଲା କେବଳ ନୁହେଁ, ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାଧୁ ସନ୍ଥ ଯୋଗଦେଇଛନ୍ତି। ସାଧୁ ସନ୍ଥଙ୍କ ଉପସ୍ଥିତିରେ ମହାଯଜ୍ଞର ଶୁଭାରମ୍ଭ କରାଯାଇଛି। ଆଜିଠାରୁ ଆମ୍ଭ ହୋଇଥିବା ଏଇ ମହାଯଜ୍ଞ ମହୋତ୍ସବ ଆସନ୍ତା ୩୦ ତାରିଖରେ ଉଦ୍‌ଯାପିତ ହେବ। ଏଇ କଳସ ଶୋଭଯାତ୍ରାରେ ଶ୍ରୀରାମ ନବମୀ ମହାଯଜ୍ଞ ମହୋତ୍ସବ କମିଟିର ସଭାପତି ବରିଷ୍ଠ ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ର, ବରିଷ୍ଠ ବିଜେପି ନେତା ତଥା ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ନେତା ତଥା ଧାମନଗରର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ସମେତ ହଜାର ହଜାର ଶ୍ରୀ ରାମ ଭକ୍ତ ଓ କର୍ମକର୍ତ୍ତା ଯୋଗଦେଇଥିଲେ।
କଳାସ ଶୋଭାଯାତ୍ରା‌ ପୂର୍ବରୁ ପ୍ରସିଦ୍ଧ ତିନି ଧାର୍ମିକ ପୀଠ ମା ଭଦ୍ରାକାଳୀ, ଆରଡିର ବାବା ଆଖଣ୍ଡଳମଣି ଓ ଯାଜପୁରର ମା ବିରଜାଙ୍କ ପୀଠରୁ ଆଜ୍ଞାମାଳ ଅଣାଯାଇ ଯଜ୍ଞ ସ୍ଥଳରେ ସ୍ଥାପନାକରାଯାଇଥିଲା। ବିଜେପି ନେତା ଡାକ୍ତର ପ୍ରଦୀପ ନାୟକ ମା’ ଭଦ୍ରକାଳୀଙ୍କ ପୀଠରୁ ଯଥାରୀତି ପୂଜା ଅର୍ଚ୍ଚନା କରି ଆଜ୍ଞାମାଳ ଏକ ଶୋଭାଯାତ୍ରାରେ ଆଣି ଥିବା ବେଳେ ମା’ ବିରଜାଙ୍କ ପୀଠରୁ ବିଜେପି ନେତା ବଦ୍ରୀନାରାୟଣ ଧଳ ପୂଜା ଅର୍ଚ୍ଚନା କରିବା ପରେ ଏକ ଶୋଭାଯାତ୍ରାରେ ଭଦ୍ରକ ଆସିଥିଲେ। ସେହିପରି ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରୁ ପୂଜା ଅର୍ଚ୍ଚନା କରି ଆଜ୍ଞାମାଳ ଭଦ୍ରକର ଗାନ୍ଧୀ ପଡିଆ ପର୍ଯ୍ୟନ୍ତ ଅଣାଯାଇଥିଲା। ଯଜ୍ଞ ସ୍ଥଳରେ ତିନି ଧର୍ମପୀଠର ଆଜ୍ଞାମାଳ ସ୍ଥାପନ କରାଯିବା ପରେ କଳସ ଶୋଭାଯାତ୍ରା ବାହାରିଥିଲା।

ଏଇ କଳସ ଶୋଭାଯାତ୍ରାଙ୍କୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଶ୍ରୀରାମ ମହାଯଜ୍ଞ ମହୋତ୍ସବ କମିଟିର ସମସ୍ତ କର୍ମକର୍ତ୍ତା, ପୁଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ସହଯୋଗ କରିଥିଲେ। ସାରା ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିବା ବେଳେ ୨୫୦ରୁ ଊର୍ଦ୍ଧ୍ବ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ଦାୟୀତ୍ବ ଦିଆଯାଇଛି। ସାରା ସହର ଆଜି ଗେରୁଆମୟ ହୋଇଥିବା ବେଳେ ଜୟ ଶ୍ରୀରାମ ଧ୍ବନୀରେ କଂପିତ ହୋଇଛି ଭଦ୍ରକ। ସହର ସାରା ଆକର୍ଷଣୀୟ ତୋରଣ ସଜା ସହ ସବୁଠି ଗେରୁଆ ପତାକା ଫରଫର ହୋଇ ଉଡୁଛି। ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ଜୟ ଶ୍ରୀରାମ ଧ୍ପନୀରେ କଂପୁଛି ଭଦ୍ରକ।

Leave a Reply

Your email address will not be published. Required fields are marked *