Spread the love

ଶିବପୁରାଣ, ସ୍କନ୍ଦପୁରାଣ, ମତ୍ସ୍ୟପୁରାଣ ଆଦିରେ ଯେଉଁ ପର୍ବତର ମହତ୍ତ୍ୱ ସଂପର୍କରେ ବିସ୍ତୃତ ବର୍ଣ୍ଣନା ମିଳେ, ସେହି ପର୍ବତର ନାମ କୈଳାସ। କେଳି ଯୁକ୍ତ ଅ- ବା କୈଳ ହେଉଛି କ୍ରୀଡ଼ାସମୂହ। ଆସ ଅର୍ଥାତ୍ ବାସ କରିବା। ପୁରାଣର ବର୍ଣ୍ଣନା ଅନୁସାରେ, ଏହି ପର୍ବତ ଶିବ ଓ ପାର୍ବତୀଙ୍କର କ୍ରୀଡ଼ାସ୍ଥଳୀ। ଶିବପ୍ରଦୋଷ ସ୍ତୋତ୍ରର ବର୍ଣ୍ଣନା ଅନୁଯାୟୀ, ଶିବ ପ୍ରତ୍ୟହ କୈଳାସ ପର୍ବତରେ ସାନ୍ଧ୍ୟ ତାଣ୍ଡବ ନୃତ୍ୟ ପ୍ରଦର୍ଶନ କରନ୍ତି। ଏହି ସମୟରେ ବିଭିନ୍ନ ରତ୍ନରେ ବିଭୂଷିତ ହୋଇ ତିନିପୁରର ଦେବଦେବୀମାନେ କୈଳାସରେ ସମବେତ ହୁଅନ୍ତି। ଏହା ବ୍ୟତୀତ ଗନ୍ଧର୍ବ, ପନ୍ନଗ, ଉରଗ, ସିଦ୍ଧ, ସାଧ୍ୟ, ବିଦ୍ୟାଧର, ଅମର, ଅପ୍‌ସରା ଆଦି ଏହି ପବିତ୍ର ନୃତ୍ୟ ଦର୍ଶନ କରିବାକୁ ଏବଂ ଦିବ୍ୟ ସଂଗୀତ ଶୁଣିବାକୁ ସଂଧ୍ୟାକାଳରେ କୈଳାସରେ ଏକତ୍ର ହୁଅନ୍ତି। ଏହି ନୃତ୍ୟକାଳରେ ସରସ୍ୱତୀ ବୀଣା, ବିଷ୍ଣୁ ମୃଦଙ୍ଗ, ଇନ୍ଦ୍ର ବଂଶୀ ଏବଂ ବ୍ରହ୍ମା କରତାଳ ବାଦନ କରିଥାନ୍ତି। ଶିବଙ୍କ ନୃତ୍ୟକୁ ସାଧାରଣତଃ ତାଣ୍ଡବ ନୃତ୍ୟ କୁହାଯାଏ। ଏହା ଆନନ୍ଦ ତାଣ୍ଡବ, ସାନ୍ଧ୍ୟ ତାଣ୍ଡବ, କାଳିକା ତାଣ୍ଡବ, ତ୍ରିପୁରା ତାଣ୍ଡବ, ସଂହାର ତାଣ୍ଡବ, ଗୌରୀ ତାଣ୍ଡବ ଓ ଉମା ତାଣ୍ଡବ। ଅନେକ ସମୟରେ ଶିବଙ୍କ ସହିତ ଗୌରୀ ମଧ୍ୟ ତାଣ୍ଡବ ସହିତ ଲାସ୍ୟ ନୃତ୍ୟ କରିଥାନ୍ତି।
ଶିବ ସ୍ୱୟଂ ଯୋଗୀଶ୍ୱର ଏବଂ ପାର୍ବତୀ ମହାକାଳୀ। ଏମାନେ ଯେପରି ସୃଷ୍ଟି, ସ୍ଥିତି ଓ ପ୍ରଳୟର ଉଦ୍ୟୋକ୍ତା, ସେହିପରି ପଞ୍ଚମ ବେଦ (ନାଟ୍ୟବେଦ)ର ଆଦିସ୍ରଷ୍ଟା ମଧ୍ୟ। ତେଣୁ ଶିବଙ୍କର ବାସସ୍ଥାନ କୈଳାସ ତାଙ୍କର ସାଂସାରିକ କ୍ରୀଡ଼ାଭୂମି। ସମଗ୍ର ପୃଥିବୀରେ ଅନେକ ପର୍ବତଶୃଙ୍ଗ ରହିଛି। ଅନେକ ପର୍ବତାରୋହୀ ସେସବୁ ଆରୋହଣ କରିଛନ୍ତି। ହିମାଳୟର ସୁଉଚ୍ଚ ଏଭେରେଷ୍ଟ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପର୍ବତାରୋହୀ କୈଳାସ ଆରୋହଣ କରିବାର ଶୁଣାଯାଇ ନାହିଁ। କୁହାଯାଏ, ଏହି ପର୍ବତରେ ଅଂସଖ୍ୟ ବରଫାବୃତ ଶିବଲିଙ୍ଗ ଦେଖାଯାଏ; ଯାହା ଉପରେ ପାଦ ଥାପି ଯିବା ସମ୍ଭବ ନୁହେଁ। ସେତିକି ଧର୍ମବଳ ନଥିଲେ କେହି କୈଳାସ ପର୍ବତର ଶିଖରକୁ ଯାଇପାରିବେ ନାହିଁ।
କିନ୍ତୁ ପର୍ବତାରୋହୀମାନଙ୍କ ମତରେ, ଏହି ପର୍ବତ ଆରୋହଣ କଲେ କେହି ଦିଗ ନିର୍ଣ୍ଣୟ କରିପାରନ୍ତି ନାହିଁ; ତେଣୁ ଆରୋହଣ ସମ୍ଭବ ହୁଏ ନାହିଁ। ସେ ଯାହା ବି ହେଉ, ବିଶ୍ୱାସ-ଅବିଶ୍ୱାସର ଏହି ଅନ୍ଧମୁହାଣି ମଧ୍ୟରେ, କୈଳାସ ଶିବଙ୍କର ଯୋଗଭୂମି ଓ ନୃତ୍ୟଭୂମି ହୋଇ ରହିଛି। ଏହାର ବିଚିତ୍ର ଆଲୋକରଶ୍ମି ଏବଂ ଏହାର ପାଦତଳେ ଥିବା ସ୍ୱଚ୍ଛନୀରା ମାନସରୋବର ଓ ଖାରଜଳ ପରିପୂର୍ଣ୍ଣା ରାକ୍ଷସତାଲ ଆଜି ମଧ୍ୟ ବିସ୍ମୟ ହୋଇ ରହିଛନ୍ତି
-ଡକ୍ଟର ତୁଳସୀ ଓଝା

Leave a Reply

Your email address will not be published. Required fields are marked *