Spread the love

‘ମହାଭାରତ’ର ବନପର୍ବରେ ବର୍ଣ୍ଣିତ ହୋଇଛି, “ଗଣ୍ଡକୀତୁ ସମାସାଦ୍ୟ ସର୍ବତୀର୍ଥଜଳୋଦ୍‌ଭବାମ୍ (୮୪/୧୧୪)। ଅର୍ଥାତ୍ ସମଗ୍ର ତୀର୍ଥଜଳ ଏକତ୍ର ହୋଇ ଏହି ନଦୀକୁ ସୃଷ୍ଟି କରିଥିଲେ। ବହୁ ପ୍ରାଚୀନ କାଳର ଏକ ପୁରାଣ ବର୍ଣ୍ଣିତ ଉପାଖ୍ୟାନରୁ ଏହି ନଦୀର ଜନ୍ମ ବିବରଣୀର ସୂଚନା ମିଳିଥାଏ। ଏକଦା ଗୋଲୋକରେ ବାସ କରୁଥିବା ବୃନ୍ଦା ନାମକ ଏକ ସହଚରୀଙ୍କର କୃଷ୍ଣଙ୍କ ପ୍ରତି ଥିବା ପ୍ରୀତି ଏବଂ କୃଷ୍ଣଙ୍କର ତାଙ୍କ ପ୍ରତି ଥିବା ଆକର୍ଷଣରେ କ୍ଷୁବ୍‌ଧ ହୋଇ, ଦେବୀ ରାଧା ତାଙ୍କୁ ମର୍ତ୍ତ୍ୟଲୋକରେ ଜନ୍ମ ନେବାପାଇଁ ଅଭିଶାପ ଦେଲେ। ଦୁଃଖିତା ବୃନ୍ଦା ମର୍ତ୍ତ୍ୟଲୋକ ଆସି କଠୋର ତପସ୍ୟାରେ ନିମଗ୍ନ ହେଲେ। ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା ତାଙ୍କୁ ଆଶ୍ୱାସନା ଦେଲେ, ଯେ ନାରାୟଣ ତୁମର ଚିରନ୍ତନ ପ୍ରୀତିଭାଜନ ହେବେ। କିନ୍ତୁ ଏହି ଜନ୍ମରେ ନୁହେଁ।
ବୃନ୍ଦା ଦେହତ୍ୟାଗ କଲେ ଏବଂ ପରବର୍ତ୍ତୀ ଜନ୍ମରେ ସେ ବୃଷଧ୍ୱଜଙ୍କର କନ୍ୟା ତୁଳସୀ ରୂପରେ ଜନ୍ମ ନେଲେ। ଶଙ୍ଖଚୂଡ଼ ନାମକ ଏକ ଦାନବ ସହିତ ତାଙ୍କର ବିବାହ ହେଲା। ଓଡ଼ିଆ ପୁରାଣରେ ଶଙ୍ଖଚୂଡ଼ର ନାଆଁ ଜଳନ୍ଧର। ଶଙ୍ଖଚୂଡ଼ ବରଲାଭ କରିଥିଲା। ଯେ ପର୍ଯ୍ୟନ୍ତ ତୁଳସୀ ସତୀ ହୋଇ ରହିଥିବେ, ସେ ପର୍ଯ୍ୟନ୍ତ ତା’ର ମୃତ୍ୟୁ ହେବ ନାହିଁ। ତେଣୁ ସେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଲୋକରେ ଘୋର ଅତ୍ୟାଚାର କଲା। ସେଥିରେ ଅତିଷ୍ଠ ହୋଇ ଦେବତାମାନେ ବିଷ୍ଣୁଙ୍କର ଶରଣ ପଶିଲେ। ଶିବଙ୍କୁ ଶଙ୍ଖଚୂଡ଼ ବଧ ନିମିତ୍ତ ଆୟୋଜନ କରିବାକୁ କହି ବିଷ୍ଣୁ ଶଙ୍ଖଚୂଡ଼ ରୂପ ଧାରଣ କରି ତୁଳସୀଙ୍କ ସହିତ ମିଳିତ ହେଲେ। ଶଙ୍ଖଚୂଡ଼ର ମୃତ୍ୟୁ ହେଲା। ତୁଳସୀ ବିଷ୍ଣୁଙ୍କର ଛଳନା ଜାଣିପାରି ତାଙ୍କୁ ପଥର ହେବାକୁ ଅଭିଶାପ ଦେଲେ। ବିଷ୍ଣୁଙ୍କର ଆଶୀର୍ବାଦରୁ ତୁଳସୀଙ୍କର ଚିତାଭସ୍ମରୁ ଏକ ନଦୀ ସୃଷ୍ଟି ହେଲା। ସମସ୍ତ ତୀର୍ଥଜଳ ଆସି ସେହି ନଦୀକୁ ପରିପୂର୍ଣ୍ଣ କଲେ। ବିଷ୍ଣୁ ସେହି ନଦୀରେ ଶାଳଗ୍ରାମ ଶିଳା ହୋଇ ରହିଲେ। ସେହି ଶିଳାକୁ ବିଷ୍ଣୁଶିଳା, ନାରାୟଣଶିଳା ଆଦି କୁହାଯାଏ। ସେ ଶିଳା ଗଣ୍ଡକୀ ନଦୀରେ ଦେଖାଯାଏ।

20140718075655
ଏହି ନଦୀ ତିବ୍‌ବତର ଧଉଳିଗିରିରୁ ବାହାରି ଭାରତରେ ଆସି ଗଙ୍ଗାରେ ମିଶିଛି। ନେପାଳରେ ଏହାକୁ କାଳୀନଦୀ ତଥା ସପ୍ତଗଣ୍ଡକୀ କୁହାଯାଏ। କାରଣ ହିମାଳୟରୁ ବାହାରି ଥିବା ସାତଟି ଜଳଧାର ଏକତ୍ର ହୋଇ ଗଣ୍ଡକୀର ସୃଷ୍ଟି। ଶାଳଗ୍ରାମ ଶିଳା ଯୋଗୁଁ ଏହି ନଦୀର ଜଳ ଅତ୍ୟନ୍ତ ପବିତ୍ର। ଶାଳଗ୍ରାମ ସ୍ୱୟଂ ବିଷ୍ଣୁଙ୍କର ରୂପ ହୋଇଥିବାରୁ ଏହାକୁ ଅତ୍ୟନ୍ତ ପବିତ୍ର ରୂପେ ଗ୍ରହଣ କରାଯାଏ।
-ଡକ୍ଟର ତୁଳସୀ ଓଝା

Leave a Reply

Your email address will not be published. Required fields are marked *