Spread the love

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ଭାଇ ଶମସୁଦ୍ଦିନ ଏବଂ ପୂର୍ବ ପତ୍ନୀ ଅଞ୍ଜନା ପାଣ୍ଡେ ଓରଫ ଆଲିଆଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଦୁହେଁ ନୱାଜଙ୍କୁ ନେଇ କରିଥିବା ବିଭ୍ରାନ୍ତିକର ଦାବି ହେତୁ ନୱାଜଙ୍କ ମାନହାନି ହୋଇଥିବାରୁ ସେ ୧୦୦କୋଟି ଟଙ୍କା ମାଗିଛନ୍ତି। ଆଇନଜୀବୀ ସୁନୀଲ କୁମାର, ନୱାଜଙ୍କ ତରଫରୁ ଏହି ଆବେଦନ କରିଛନ୍ତି ଏବଂ ଏହା ଉପରେ କୋର୍ଟ ମାର୍ଚ୍ଚ ୩୦ରେ ଶୁଣାଣି କରିବେ ବୋଲି ଜଣାପଡ଼ିଛି।
ଦାଖଲ ହୋଇଥିବା ଆବେଦନରେ ନୱାଜୁଦ୍ଦିନ କୋର୍ଟକୁ କହିଛନ୍ତି ଯେ ତାଙ୍କ ଭାଇ ଏବଂ ତାଙ୍କ ପୂର୍ବ ପତ୍ନୀ ସୋସିଆଲ ମିଡିଆରେ ତାଙ୍କ ନାଁକୁ ବଦନାମ କରିବା ଭଳି ପୋଷ୍ଟ ସେୟାର ନକରନ୍ତୁ ଏବଂ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ କରିଥିବା ସମସ୍ତ ଅଭିଯୋଗକୁ ପ୍ରତ୍ୟାହାର କରନ୍ତୁ। କେବଳ ଏତିକି ନୁହେଁ, ନୱାଜୁଦ୍ଦିନ କହିଛନ୍ତି ଯେ ଉଭୟ ତାଙ୍କୁ ଲିଖିତ ଆକାରରେ କ୍ଷମା ମାଗିବା ଉଚିତ୍।
କୁହାଯାଉଛି ଯେ ୧୦୦କୋଟି ଟଙ୍କା ମାନହାନି ମକଦ୍ଦମା ସହିତ ନୱାଜୁଦ୍ଦିନ ସିଦ୍ଦିକି ନିଜ ଭାଇ ଏବଂ ପୂର୍ବ ପତ୍ନୀଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ନିଜ ଭାଇଙ୍କ ଉପରେ ଟଙ୍କା ହେରଫେର କରି ଠକେଇ କରିଥିବା ଅଭିଯୋଗ କରିଛନ୍ତି। ଏହା ସହ ସେ ପୂର୍ବ ପତ୍ନୀ ଆଲିଆଙ୍କ ଉପରେ ମଧ୍ୟ ଟଙ୍କା ହେରଫେର କରିଥିବାର ଅଭିଯୋଗ କରିଛନ୍ତି। ଅଭିନେତା କହିଛନ୍ତି ଯେ, ୨୦୦୮ ମସିହାରେ ସେ ତାଙ୍କ ଭାଇଙ୍କ ଉପରେ ବିଶ୍ୱାସ କରି ତାଙ୍କୁ ଟଙ୍କା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ବୁଝିବାକୁ ଦାୟିତ୍ବ ଦେଇଥିଲେ, କାରଣ ତାଙ୍କ ଭାଇଙ୍କର କୌଣସି ଚାକିରି ନଥିଲା। ଏହାର ଫାଇଦା ଉଠାଇ ଦୁହେଁ ଟଙ୍କ‌ା ହେରଫେର କରିଥିବା ଦାବି କରିଛନ୍ତି ନୱାଜ।

ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ହେଲାଣି ପୂର୍ବ ପତ୍ନୀ ଆଲିଆ, ନୱାଜଙ୍କ ଉପରେ ଅନେକ ଆରୋପ ଲଗାଇଛନ୍ତି। ଘରୋଇ ହିଂସାର ଅଭିଯୋଗ ଆଣିବା ସହ ଦୁଇ ପିଲାଙ୍କୁ ଚଳାଇବା ପାଇଁ ନୱାଜ ଟଙ୍କା ଦେଉନଥିବା କହିଥିଲେ ଆଲିଆ। ଏହା ସହ ନୱାଜଙ୍କ ଦୁଇଟି ରୂପ, ତାଙ୍କୁ ବୁଝିବା କଷ୍ଟ ବୋଲି କହିଥିଲେ ତାଙ୍କ ଭାଇ।

Leave a Reply

Your email address will not be published. Required fields are marked *