Spread the love

ଭୁବନେଶ୍ବର: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଂସଦରେ ସଭ୍ୟପଦ ରଦ୍ଦ ଓ ପରବର୍ତ୍ତୀ ସମୟରେ ତାଙ୍କର ସାମ୍ବାଦିକ ସମ୍ମିଳନୀ ପ୍ରସଙ୍ଗକୁ ନେଇ ବିଜେପି ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ୱାଳ ଟାର୍ଗେଟ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ ଶନିବାର ଅଭିଯୋଗ କରିଛନ୍ତି, ରାହୁଲ ଏବଂ ତାଙ୍କର ପରିବାର ଭାବୁଛନ୍ତି ସେମାନେ ସମ୍ବିଧାନ ଠାରୁ ଊର୍ଦ୍ଧ୍ବରେ ଅଛନ୍ତି। ଯାହା ନିୟମ ରହିଛି ତାହା କେବଳ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ରାହୁଲ ଭାବୁଛନ୍ତି। ଦେଶରେ କଂଗ୍ରେସ ନିମ୍ନଗାମୀ ହେବାର ମୁଖ୍ୟ କାରଣ ହେଲା ଯେଉଁ ବର୍ଗକୁ କଂଗ୍ରେସ ଭୋଟବ୍ୟାଙ୍କ ଭାବେ ଆୟୁଦ୍ଧ କରିଥିଲା, ସେହିବର୍ଗକୁ ଅବହେଳା କରୁଛି।
ସଭ୍ୟପଦ ରଦ୍ଦ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀରେ ଆଜି ରାହୁଲ ରଖିଥିବା ପ୍ରସଙ୍ଗ ସମ୍ପୂର୍ଣ୍ଣ ମିଛ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି। ଏହି ରଦ୍ଦ ପ୍ରସଙ୍ଗରେ ବିଜେପିକୁ ଦୋଷ ଦେବାର କୌଣସି କାରଣ ହିଁ ନାହିଁ। କୋର୍ଟ ଏହି ସମସ୍ତ ନିଷ୍ପତ୍ତି ନେଇଛନ୍ତି। ଏକ ନିର୍ଦ୍ଦିଷ୍ଟ ଜାତିକୁ ଅପମାନିତ କରି ତାକୁ ନିଚା ଦେଖାଇବାକୁ ଉଦ୍ୟମ କରିବାରୁ କୋର୍ଟ ତାଙ୍କୁ ଦଣ୍ଡିତ କରିଛନ୍ତି। ତଳକୋର୍ଟ ଦେଇଥିବା ଆଦେଶକୁ ରାହୁଲ ଚ୍ୟାଲେଞ୍ଜ କରିପାରିଥାନ୍ତେ। ଏମିତି କି ତାଙ୍କୁ କ୍ଷମା ମଧ୍ୟ ମାଗିବାର ସୁଯୋଗ ମିଳିଲା। କିନ୍ତୁ ସେ ଏହା କରି ନଥିଲେ। ତାଙ୍କ ଅହଙ୍କାର ତାଙ୍କୁ ଏଥିରୁ ବାରଣ କରିଛି। ଏକ ନିର୍ଦ୍ଦିଷ୍ଟ ବର୍ଗକୁ ଟାର୍ଗେଟ କରିବା ପାଇଁ ରାହୁଲଙ୍କର କୌଣସି ଅଧିକାର ନାହିଁ। ଜଣେ ଦାୟିତ୍ୱସମ୍ପର୍ଣ୍ଣ ରାଜନେତା ଭାବରେ ସେ ଦେଇଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।

ଆଜି ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ପ୍ରାମାଣିତ କରିଛି ସତରେ ତାଙ୍କ ପାଇଁ କଂଗ୍ରେସ ଚିନ୍ତିତ ନୁହେଁ। ଏହି ଘଟଣାରେ ଲୋକଙ୍କ ସମ୍ବେଦନଶୀଳତାକୁ ହାତେଇବା ପାଇଁ କଂଗ୍ରେସ ଯୋଜନା କରୁଛି। ସବୁଠାରୁ ବଡ଼ କଥା ହେଲା କୌଣସି ନିର୍ବାଚିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ହେବା ଘଟଣା ଦେଶରେ ଏହା ପ୍ରଥମ ନୁହେଁ। ପୂର୍ବରୁ ଅନେକ ନିର୍ବାଚିତ ପ୍ରତିନିଧିଙ୍କ ସଭ୍ୟପଦ ରଦ୍ଦ ହୋଇଛି। ବିଜେପିର ୬ ଜଣ ସଦସ୍ୟଙ୍କର ସଦସ୍ୟତା ରଦ୍ଦ ହୋଇଥିଲା। ତେଣୁ କୋର୍ଟଙ୍କ ନିଷ୍ପତ୍ତିକୁ ଭାରତୀୟ ଜନତା ପାର୍ଟି ଉପରେ ଲଦିବା ଦୁର୍ଭାଗ୍ୟଜନକ। ରାହୁଲ ଗାନ୍ଧିଙ୍କ ଏହି ମନ୍ତବ୍ୟକୁ ନେଇ ସାରା ଦେଶରେ ଓବିସି ମୋର୍ଚ୍ଚା ପ୍ରତିବାଦ କରିବ ବୋଲି ଶ୍ରୀ ବିଶ୍ବାଳ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *