Spread the love

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀଠାରେ ‘ପଦ୍ମଶ୍ରୀ’ ପୁରସ୍କାରପ୍ରାପ୍ତ କେନ୍ଦୁଝର ଜିଲ୍ଲାର କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁରଙ୍କୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଓଡ଼ିଶାର ପ୍ରାଚୀନ କଳା ତଥା କାଠ କଣ୍ଢେଇ ନୃତ୍ୟକଳାକୁ ବଞ୍ଚାଇ ରଖିବା ଦିଗରେ ଶ୍ରୀ କୁଅଁରଙ୍କ ପ୍ରତିବଦ୍ଧତା ଅବର୍ଣ୍ଣନୀୟ । କଣ୍ଢେଇ ନୃତ୍ୟ ମାଧ୍ୟମରେ ଓଡ଼ିଶାକୁ ଜାତୀୟ ସ୍ତରରେ ପରିଚିତ କରାଇଥିବାରୁ ଆମେ ତାଙ୍କ ପାଇଁ ଗର୍ବିତ । ଏହି ଅନନ୍ୟ କଳା ପ୍ରତିଭା ଲୋକକଳାର ସଂରକ୍ଷଣ ଦିଗରେ ସମାଜକୁ ଅନୁପ୍ରାଣିତ କରିବ ବୋଲି ମୋର ବିଶ୍ୱାସ । ଉଲ୍ଲେଖ ଥାଉ କି ବୁଧବାର ସଂଧ୍ୟାରେ ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ । କେନ୍ଦୁଝର ସହରର ବୈଦ୍ୟରାଜ ସାହିରେ ୧୯୩୭ ମସିହା ଫେବ୍ରୁଆରି ୧୨ ତାରିଖରେ ଶ୍ରୀ କୁଅଁର ଜନ୍ମଗ୍ରହଣ କରିଥିଲେ।
ସେ ୧୫ ବର୍ଷ ବୟସରୁ ଗୁରୁ ମକରଧ୍ବଜ ବେହେରାଙ୍କ ଠାରୁ କଣ୍ଢେଇ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ। ସେବେଠାରୁ ସେ ଆଉ ପଛକୁ ଫେରିନାହାନ୍ତି। ରାବଣବଦ୍ଧ, ତ୍ରିପୁରାସୁରବଦ୍ଧ, ଚନ୍ଦ୍ରହାସ୍ୟ ଖଡ୍‌ଗ, ମନ୍ଦୋଦରୀ ବିବାହ, ଚାର୍ଲସ ଶୋଭରାଜ, ବୀରସୁରେନ୍ଦ୍ର ସାଏ, ସହିଦ ଲକ୍ଷ୍ମଣ ନାୟକ, ଶ୍ରୀ ଗଣେଶ, ସତୀ ତୁଳସୀ ପରିବ ୪୫ଟି ବିଷୟବସ୍ତୁକୁ ନେଇ ସେ କଣ୍ଢେଇ ନୃତ୍ୟ ପରିବେଷଣ କରୁଛନ୍ତି। କଣ୍ଢେଇ ନୃ୍ତ୍ୟକୁ ବଞ୍ଚାଇ ରଖିବା ପାଇଁ ଶ୍ରୀ କୁଅଁରଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି। ଏଥିପାଇଁ ତାଙ୍କୁ ପତ୍ନୀ ସ୍ନେହଲତାଙ୍କ ଗହଣା ସାଙ୍ଗକୁ ଘରର ବାସନକୁସନ ଏବଂ ନିଜର ମୋଟରସାଇକଲ ବିକ୍ରି କରିବାକୁ ପଡ଼ିଛି। ରାଜ୍ୟର ବିଭିନ୍ନ ମହୋତ୍ସବ ସମେତ ଦେଶର ବିଭିନ୍ନ ମଞ୍ଚରେ ସେ କଣ୍ଢେଇ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କୁ ୨୦୦୪ରେ କେନ୍ଦ୍ର ସଂଗୀତ ନାଟକ ଏକାଡେମି ପୁରସ୍କାର ମିଳିଥିଲା। ଏହାବାଦ୍‌ ସେ ୨୦୧୪ରେ ରାଜ୍ୟ ସଂଗୀତ ନାଟକ ଏକାଡେମି ସମ୍ମାନ ସମେତ ଦେଶର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *