Spread the love

ଚଣ୍ଡୀଗଡ଼ : ବଦଳୁଛି ଯୁଗ ଆଉ ବଦଳୁଛି ଯୁବପିଢ଼ିଙ୍କ ପସନ୍ଦ। ଏବେ ଆଧୁନିକତା ଛାଡି ଆଧ୍ୟାତ୍ମିକ ଆଢ଼କୁ ଢ଼ଳୁଛନ୍ତି ଯୁବପିଢ଼ି। ଏଭଳି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି କଫି କାଫେ ବାହାରେ। ଏକ କଫି କାଫେ ବାହାରେ ମଜାମସ୍ତି କରିବା ବଦଳରେ କିଛି ଯୁବକ ଓ ଯୁବତୀ ବସି କରିଛନ୍ତି ହନୁମାନ ଚାଳିଶା ପାଠ। କେବଳ ସେତିକି ନୁହେଁ ଢ଼ୋଲ ବଜାଇ ଭଜନ କିର୍ତ୍ତନ ମଧ୍ୟ କରିଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ହରିୟାଣା ଗୁରୁଗ୍ରାମ। ଏଠାକାର ଏମ୍‌-୪୨ କଲୋନୀ ସ୍କେଟର ୨୨ର ଏକ କଫି କାଫେ ଯାହାର ନାଁ ଗିଭ୍ ୟୁ ୱିଙ୍ଗସ୍। ଏଠି କିଛି ଯୁବକ ଓ ଯୁବତୀ ଏକାଠି ହୋଇ ସୁର-ତାଳ ଦେଇ କରିଛନ୍ତି ହନୁମାନ ଚାଳିଶା ପାଠ। କେବଳ ସେତିକି ନୁହେଁ ଢ଼ୋଲ ମୃଦଙ୍ଗ ବଜାଇ ରାମ ଭଜନ ମଧ୍ୟ ଗାଉଛନ୍ତି। ସେମାନଙ୍କୁ ଦେଖି କାଫେକୁ ଟାଣି ହୋଇ ଆସୁଛନ୍ତି ଅନେକ ଗ୍ରାହକ। ଆଉ ସେମାନଙ୍କ ସହ ମିଶି ମଜ୍ଜି ଯାଉଛନ୍ତି ଭଜନରେ। ଯୁବଗୋଷ୍ଠୀଙ୍କ ଏହି ନିଆରା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ମୁତାବକ, କାଫେ ବାହାରେ ଏକାଠି ହୋଇଥିବା ଯୁବକମାନେ ହେଉଛନ୍ତି ଆଖାପାଖ ଅଞ୍ଚଳର କଳାକାର। କାଫେର ମାଲିକ ବିବେକ ଗୁଲାଟି କୁହନ୍ତି, ଦିନ ସାରା ବ୍ୟସ୍ତବହୁଳ ଜୀବନରୁ ବିରତି ପାଇବା ପରେ ପ୍ରତିଟି ମଣିଷ ଟିକେ ହାଲକା ହେବାକୁ ଚାହେଁ। ଏହି କଥା ଭାବି ଦିନେ ସେ ଓ ତାଙ୍କ ପତ୍ନୀ କଫି ସପ୍‌ରେ ବସି ହନୁମାନ ଚାଳିଶା କଲେ। ଏହାକୁ ଦେଖି ପ୍ରଥମେ ୨ଜଣ ଯୁବକ ତାଙ୍କ ସହ ଯୋଗ ଦେଲେ। ତାଙ୍କ ସହ ପୂରା ସ୍ୱର ଓ ତାଳରେ ହନୁମାନ ଚାଳିଶା ଗାଇବାକୁ ଲାଗିଲେ। ଏହି ପ୍ରୟାସ ସେଠିକାର ଯୁବକ ଯୁବତୀଙ୍କୁ ଏତେ ପ୍ରଭାବିତ କଲା ଯେ, ଜଣକ ପରେ ଜଣେ ଆସି ଏହି ଗ୍ରୁପରେ ଯୋଗ ଦଲେ। ଏହି ଗ୍ରୁପ ଏବେ ୫୦ ଜଣରେ ପହଞ୍ଚିଛି।
ସନ୍ଧ୍ୟା ହେଲେ ଏଠି ହନୁମାନ ଚାଳିଶାର ଆସର ଜମୁଛି। ଏହାକୁ ଆହୁରି ଶ୍ରୁତିମଧୂର କରିବାକୁ କିଏ ଢୋଲକ ବଜାଏ ତ ଆଉ କିଏ ଗିଟାର। ମଙ୍ଗଳବାର କାଫେରେ ହନୁମାନ ଚାଳିଶା ସହ ଶ୍ରୀରାମଙ୍କ ଭକ୍ତି ସଙ୍ଗୀତ ଶୁଣିବାକୁ ଗ୍ରାହକଙ୍କ ପ୍ରବଳ ଭିଡ ଜମୁଛି। ବିଶେଷ କରି ଯୁବକଙ୍କ ହନୁମାନ ଚାଳିଶା ପାଠର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏମାନଙ୍କ ପାଖକୁ ଏବେ ବିଭିନ୍ନ ସ୍ଥାନରେ ପ୍ରୋଗ୍ରାମ କରିବାକୁ ନିମନ୍ତ୍ରଣ ଆସୁଛି।

Leave a Reply

Your email address will not be published. Required fields are marked *