Spread the love

ଭୁବନେଶ୍ବର/ନବରଙ୍ଗପୁର : ଓଡ଼ିଶାବାସୀଙ୍କ କାମ ପାଇଁ ଦ୍ବାରପାଳ କ’ଣ, କ୍ରୀତଦାସ ହେବାକୁ ବି ରାଜି ଅଛି। ମୋ ଦଳ ବିଜୁ ଜନତା ଦଳର ମୁଲିଆ ହେବାକୁ ବି ପ୍ରସ୍ତୁତ ଅଛି ବୋଲି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି।
ଶନିବାର ଦିନ ନବରଙ୍ଗପୁର ସର୍କିଟ ହାଉସ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭିକେ ପାଣ୍ଡିଆନ ଅଭିଯୋଗ ଶୁଣାଣି କରୁଥିବାବେଳେ ପ୍ରଣବପ୍ରକାଶ ଗେଟ୍ ପାଖରେ ଛିଡ଼ାହୋଇ ଲୋକଙ୍କୁ ଧାଡ଼ିରେ ଯିବାକୁ କହୁଥିଲେ। ଏନେଇ ଗଣମାଧ୍ୟମରେ ପ୍ରଣବ ପ୍ରକାଶଙ୍କୁ ଦ୍ବାରପାଳ କହି ଖବର ପ୍ରସାରଣ ହୋଇଥିଲ। ନବରଙ୍ଗପୁର ଜିଲ୍ଲା କଂଗ୍ରେସ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଣବ ପ୍ରକାଶ ଦାସ ଦ୍ବାରପାଳ ଭଳି କାର୍ଯ୍ୟ କରୁଥିଲେ। ଏଥିରୁ ରାଜ୍ୟରେ ଅମଲାତନ୍ତ୍ର ଦ୍ବାରା ଶାସନ ଚାଲିଥିବା ପ୍ରମାଣ ମିଳୁଛି ବୋଲି ଜିଲ୍ଲା ସଭାପତି ମୁନା ତ୍ରିପାଠୀ ଅଭିଯୋଗ କରିଥିଲେ। ଏହାପରେ ପ୍ରଣବ ପ୍ରତିକ୍ରିୟା ରଖି କହିଥିଲେ ଯେ, ଏହା ହେଉଛି ମଧ୍ୟଯୁଗୀୟ ମାନସିକତା। ନିର୍ବାଚନ ପରେ ନବରଙ୍ଗପୁରର ବିଭିନ୍ନ ସମସ୍ୟାକୁ ନେଇ ଏଠାକାର ଲୋକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ ଲୋକଙ୍କ ସମସ୍ୟା ଶୁଣି ଏହାର ସମାଧାନ ପାଇଁ ନବରଙ୍ଗପୁର ଆସିଥିଲେ। ମୁଁ ଏଠାକାର ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ କଥା ହେବାକୁ ଡାକିଥିଲି। ମୁଁ ଡାକିଥିବା ଲୋକେ ବାହାରେ ଛିଡ଼ା ହେବେ ଆଉ ମୁଁ ଭିତରେ ବସିବି, ଏଭଳି ମାନସିକତାରେ ଆମେ ବିଶ୍ବାସ କରୁନୁ। ଆମେ କଥାରେ ନୁହେଁ, କାମରେ ବିଶ୍ବାସ କରୁ। ଦଳର ସୁପ୍ରିମୋ ସବୁବେଳେ କୁହନ୍ତି, ଆମେ ରାଜନେତାମାନେ ଲୋକଙ୍କ ସେବକ। ସେହି ଆଦର୍ଶରେ ଆମେ ଲୋକଙ୍କ ପାଇଁ କାମ କରୁଛୁ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *