Spread the love

କଟକ : ନିଜକୁ ICMR ବୈଜ୍ଞାନିକ ବୋଲି ପରିଚୟ ଦେଇ ଜଣେ ଯୁବତୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ପକାଇଲେ। ତେବେ ମିଛ ଧାରା ପଡିବା ପରେ ପ୍ରସ୍ତାବ ଭାଙ୍ଗିଗଲା। ଯୁବକ ଜଣକ ICMR ବୈଜ୍ଞାନିକ ନଥିବା ଜଣାପଡ଼ିବା ପରେ ଯୁବତୀଙ୍କ ପରିବାର ଲୋକେ ଆଉ ଆଗକୁ ଆଗେଇ ନ ଥିଲେ। ହେଲେ ସମ୍ପୃକ୍ତ ଯୁବକ ଜଣକ କୌଶଳ କ୍ରମେ ଯୁବତୀଙ୍କୁ ଅପହରଣ କରି ଜୋର ଜବରଦସ୍ତ ବିବାହ କରିବା ପରେ ଦୁଷ୍କର୍ମ କରିଥିଲେ। ତେବେ ଏନେଇ ଯୁବତୀଙ୍କ ଅଭିଯୋଗ କ୍ରମେ ଏହି ଯୁବକଙ୍କୁ ବାନ୍ଧିଛି କଟକ ମର୍କତନଗର ଥାନା ପୁଲିସ। ଆଜି ଏନେଇ ସୂଚନା ଦେଇଛନ୍ତି କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର। ତେବେ ଯୁବତୀଙ୍କ ଅଭିଯୋଗର ୬ ମାସ ପରେ ଅଭିଯୁକ୍ତକୁ ବାନ୍ଧିବାକୁ ପଦକ୍ଷେପ ନେଇଛି ପୁଲିସ।
ସେ କହିଛନ୍ତି, ଅଭିଯୁକ୍ତ ଜଣକ ଯାଜପୁର ଟାଉନ୍ ସପନପୁର ଗାଁର ଅବିନାଶ ମିଶ୍ର। ସେ ସିଡିଏ-୯ ବିମାବିହାରରେ ରୁହନ୍ତି। କଟକ ଜିଲ୍ଲା ଆଠଗଡ ଅଞ୍ଚଳର ଜଣେ ଯୁବତୀଙ୍କ ସହ ତାଙ୍କର ବାହାଘର ଲାଗିଥିଲା। ଅବିନାଶ ICMR ବୈଜ୍ଞାନିକ ବୋଲି ପରିଚୟ ଦେଇଥିଲା। ହେଲେ ତାଙ୍କର ଏହି ମିଛ ଧାରା ପଡ଼ିବା ପରେ ବାହାଘର ଭାଙ୍ଗି ଯାଇଥିଲା।
ତେବେ ବାହାଘର ଭାଙ୍ଗି ଯିବା ପରେ ଅବିନାଶ ଯୁବତୀଙ୍କ ସମ୍ପର୍କରେ ରହିଥିଲେ। ଗତ ବର୍ଷ ଅକ୍ଟୋବର ୩ ତାରିଖରେ କୌଶଳ କରି ଯୁବତୀଙ୍କୁ ଅପହରଣ କରି ନେଇ ତାଙ୍କ ଘରେ ରଖିଥିଲେ। ପରେ ବିଭିନ୍ନ ହୋଟେଲକୁ ମଧ୍ୟ ନେଇଥିଲେ। ଏହି ସମୟରେ ତାଙ୍କୁ ଅବିନାଶ ଦୁଷ୍କର୍ମ କରିଥିଲେ। ଏହି ସମୟର ଆପତ୍ତିଜନକ ଫଟୋ ଉଠାଇ ନେଇଥିଲେ। ଏନେଇ ଯୁବତୀଜଣକ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ତଥ୍ୟ ପ୍ରମାଣ ଯୋଗାଡ଼ କରିସାରିବା ପରେ ଚଳିତ ବର୍ଷ ଫେବୃଆରୀ ୨ ତାରିଖରେ ମାମଲା ରୁଜୁ କରିଥିଲା।
ତଥ୍ୟ ପ୍ରମାଣ ଆଧାରରେ ଚଳିତମାସ ୧୭ ତାରିଖରେ ଅଭିଯୁକ୍ତ ଅବିନାଶଙ୍କୁ ଗିରଫ କରାଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି ଓ ଖୁବ୍‌ଶୀଘ୍ର ଚାର୍ଜସିଟ୍ ଦିଆଯିବ ବୋଲି ଅତିରିକ୍ତ ଡିସିପି କହିଛନ୍ତି।

Leave a Reply

Your email address will not be published. Required fields are marked *