Spread the love

ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ଘଟଣା ସଂପର୍କରେ ଏବେ ନୂଆ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲାଣି। ତାଙ୍କ ଆତ୍ମହତ୍ୟା ପଛରେ ଆଜେକ୍ସଙ୍କ ପ୍ରେମିକା ଏବଂ ଜଣେ ସହପାଠୀଙ୍କର ହାତ ଥିବା କୁହାଯାଉଛି। ଏହି ଘଟଣାରେ ଆଜି ଡିଜେ ଆଜେକ୍ସଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଡିଜେ ଆଜେକ୍ସଙ୍କ ମୃତ୍ୟୁ ପଛରେ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ହାତ ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଏଣେ ଆଜେକ୍ସଙ୍କ ଜଣେ ବନ୍ଧୁ ଗଣମାଧ୍ୟମକୁ କହିଛନ୍ତି, ଆଜେକ୍ସ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ଉକ୍ତ ଯୁବତୀ ହାଇଟେକ୍ ଡେଣ୍ଟାଲ କଲେଜର ଛାତ୍ରୀ। ତାଙ୍କ ଘର ତମାଣ୍ଡୋରେ। ସେହି ଛାତ୍ରୀ ଓ ତାଙ୍କ ବନ୍ଧୁ ଆଜେକ୍ସଙ୍କୁ ବ୍ଲାକମେଲ୍ କରୁଥିଲେ। ସେମାନେ ତାଙ୍କଠାରୁ ଟଙ୍କା ମାଗୁଥିଲେ। ଏପରିକି ଗତକାଲି ବି ସେ ପ୍ରେମିକାକୁ ୧୫ ହଜାର ଟଙ୍କା ଫୋନପେରେ ପଠାଇଥିଲେ। ଏ ନେଇ ପୁଲିସର ତଦନ୍ତ ହେଲେ ଅଧିକ କଥା ଜଣାପଡ଼ିବ। ସୂଚନାଯୋଗ୍ୟ, ପ୍ରେମବ୍ୟାପାରଜନିତ ଘଟଣାକୁ ନେଇ ଗତ ବର୍ଷ ଭୁବନେଶ୍ୱରରେ ଡିଜେ ଆଜେକ୍ସଙ୍କୁ ଆକ୍ରମଣ ହୋଇଥିଲା।
ଶନିବାର ଖାରବେଳେ ନଗର ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶେଷଥର ପାଇଁ ସେ ଗତକାଲି ସନ୍ଧ୍ୟା ସାଢ଼େ ୬ଟାରେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବା ପରେ ଡିଜେ ଆଜେକ୍ସ ଓରଫ୍ ଅକ୍ଷୟ କୁମାରଙ୍କୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *