Spread the love

ନୂଆଦିଲ୍ଲୀ : ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆପର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଆଉ ୫ ଦିନ ପାଇଁ ନିଜ ହେପାଜତକୁ ନେଇଛି ଇଡି। ଦିଲ୍ଲୀର ଗୋଟିଏ କୋର୍ଟ ଆଜି ସିସୋଦିଆଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି। ଇଡିର ଓକିଲ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲେ ହେଁ ଏହାକୁ କୋର୍ଟ ୫ ଦିନରେ ସୀମିତ ରଖିଛନ୍ତି।
ସିସୋଦିଆଙ୍କ ପକ୍ଷରୁ ତାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ଇଡି ପ୍ରତିଦିନ ତାଙ୍କୁ ମାତ୍ର ୩୦ ମିନିଟରୁ ୧ ଘଣ୍ଟା ଜେରା କରୁଛି। ଏପରି ସ୍ଥିତିରେ ସିସୋଦିଆଙ୍କୁ ଜେଲରେ ରଖିବାର କୌଣସି ଆବଶ୍ୟକ ନାହିଁ। ତେଣୁ ତାଙ୍କୁ ଜାମିନ ଦିଆଯାଉ। ହେଲେ ଏହାକୁ ଇଡି ବିରୋଧ କରିବା ସହ ଆଉ ୭ ଦିନ ଜେରାର ଆବଶ୍ୟକ ରହିଛି ବୋଲି ଯୁକ୍ତି କରିଥିଲା।
ସିସୋଦିଆଙ୍କୁ ପ୍ରଥମେ ସିବିଆଇ ଫେବୃଆରୀ ୨୬ରେ ଗିରଫ କରିଥିଲେ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ତାଙ୍କୁ ଗିରଫ କରିବା ପରେ ଇଡି ଆକ୍ସନ ମୋଡକୁ ଆସିଥିଲେ। ଇଡି ସିସୋଦିଆଙ୍କୁ ତିହାର ଜେଲରେ ଜେରା କରିବ ସହ ଗିରଫ ମଧ୍ୟ କରିଥିଲେ। ଏହାପରେ ତାଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯାଉଛି।
ଆଜି ଇଡି ୭ ଦିନର ରିମାଣ୍ଡ ମାଗିବାରୁ ଏହାକୁ ସିସୋଦିଆଙ୍କ ଓକିଲ ବିରୋଧ କରିଥିଲେ। ଏଥିସହ ଆଜି ଯାଏ ଇଡି କ’ଣ ସବୁ କରିଛି ବୋଲି ପ୍ରଶ୍ନ କରିଥିଲେ। ସିସୋଦିଆଙ୍କ ଓକିଲ କହିଥିଲେ ଯେ “ଇଡି ଯଦି ୭ ମାସ ତଦନ୍ତ କରିବା ପରେ ପୁଣି ରିମାଣ୍ଡ ପାଇଁ ଆବେଦନ କରୁଛି, ତା’ହେଲେ ତଦନ୍ତ ବେଳେ ସେମାନେ କ’ଣ ସବୁ ହାସଲ କରିଛନ୍ତି ସେସବୁ ଦେଖାନ୍ତୁ।
ମୁଁ ହେପାଜତ ଅବଧି ବୃଦ୍ଧିକୁ ବିରୋଧ କରୁଛି। କାରଣ ଇଡି ଏବେ ସିବିଆଇର ତଦନ୍ତ କାମ କରୁଛି। ଇଡି କେବଳ ଅପରାଧର ପ୍ରକ୍ରିୟାର ତଦନ୍ତ କରିପାରିବ, କେବେ ହେଲେ ଅପରାଧର ନୁହେଁ। ଅପରାଧର ତଦନ୍ତ ଦାୟିତ୍ୱ ସିବିଆଇର। ଇଡି ପ୍ରତିଦିନ ସିସୋଦିଆଙ୍କୁ ୩୦ ମିନିଟରୁ ୧ ଘଣ୍ଟା ଜେରା କରୁଥିଲେ। କେବଳ ଗତକାଲି ବିଳମ୍ବିତ ରାତି ଯାଏ ଜେରା କରାଯାଇଛି।”
ଏହାର ଜବାବରେ ଇଡିର ଓକିଲ କହିଥିଲେ ଯେ “ସିବିଆଇ କେସ୍‌ରେ ରିମାଣ୍ଡ ମଗାଯାଉଛି। ସେ ସିବିଆଇ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ସିସୋଦିଆ ଏକାଧିକ ଥର ନିଜର ମୋବାଇଲ ଫୋନ ବଦଳାଇଥିଲେ। ଏହା ଦ୍ୱାରା ୧.୩୮ କୋଟି ଟଙ୍କାର କ୍ଷତି ହୋଇଛି।”
ସିସୋଦିଆଙ୍କ ଓକିଲ କହିଥିଲେ “ଇଡି ପୁଣି ଥରେ ଫୋନ ନଷ୍ଟ କରିବା କଥା ଉଠାଇଛି। ଏକଥା ସିବିଆଇ ଓ ଇଡି ସେମାନଙ୍କ ପ୍ରଥମ ରିମାଣ୍ଡ ଆବେଦନ ଦରଖାସ୍ତରେ ଲେଖିଥିଲେ। ଏବେ ସେମାନେ ସମାନ କଥା କହି ରିମାଣ୍ଡ ଆବେଦନ କରୁଛନ୍ତି? ଏଫଆଇଆର ରୁଜୁ କରିବା ଦିନ ଠାରୁ ଇଡି ତା’ର ପ୍ରତିଟି କାମକୁ ଠିକ ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରୁଛି। କ’ଣ ସେମାନେ ଏବେ ଠାରୁ ହିଁ ତଦନ୍ତ ଆରମ୍ଭ କରୁଛନ୍ତି?” କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସିସୋଦିଆଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ପଠାଇ ଦେଇଥିଲେ।

Leave a Reply

Your email address will not be published. Required fields are marked *