Spread the love

ଭୁବନେଶ୍ବର : ଦେଶବ୍ୟାପୀ ଇନ୍‌ଫ୍ଲୁଏଞ୍ଜା ଲୋକମାନଙ୍କ ନିଦ ହଜାଇଛି। ସଂକ୍ରମଣ ଜାରି ରହିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି। ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣକୁ ନଜରରେ ରଖି ପୁଡ଼ୁଚେରୀରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦ଦିନ ଯାଏ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି। ମାତ୍ର ଓଡ଼ିଶାରେ ଛୋଟ ପିଲାଙ୍କ କ୍ଷେତ୍ରରେ ଇନ୍‌ଫ୍ଲୁଏଞ୍ଜାର ସ୍ଥିତି କ’ଣ ରହିଛି ତାହା ଜଣାପଡ଼ୁନାହିଁ। ରାଜ୍ୟ ସରକାର ମଧ୍ୟ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣକୁ ନେଇ ସେତେଟା ଚିନ୍ତିତ ଥିବା ଜଣାପଡ଼ୁଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେବଳ ଜିଲ୍ଲାମାନଙ୍କୁ ଚିଠି ଜାରି କରାଯାଇଛି। ମାତ୍ର ଜିଲ୍ଲାସ୍ତରରେ ପ୍ରକୃତରେ ସର୍ଭେଲାନ୍‌ସ ବା ନିରୀକ୍ଷଣ ଓ ରିପୋର୍ଟିଂ ବ୍ୟବସ୍ଥା କିଭଳି ଚାଲୁଛି ତାହା ସଂପର୍କରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ମୁହଁ ଖୋଲୁ ନାହାନ୍ତି।

ଦେଶବ୍ୟାପୀ ଭୂତାଣୁ ସଂକ୍ରମଣ ବଢ଼ିବା ପଛରେ ମିଳିତଭାବେ ଏଚ୍‌୩ଏନ୍‌୨, ଏଚ୍‌୧ଏନ୍‌୧ ଓ କୋଭିଡ୍‌ ରହିଥିବା ବିଶେଷଜ୍ଞମାନେ କହୁଛନ୍ତି। ହେଲେ ଓଡ଼ିଶାରେ ଚଳିତବର୍ଷ ଏଚ୍‌୧ଏନ୍‌୧ ବା ସ୍ବାଇନ୍‌ ଫ୍ଲୁର ଗୋଟିଏ ହେଲେ ମାମଲା ନଜରକୁ ଆସିନାହିଁ। କୋଭିଡ୍‌ ମାମଲା ବି କମ୍ ରହିଛି। ହେଲେ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ କିନ୍ତୁ ବଢ଼ି ଚାଲିଛି। ଏହାସହ ଦେଶରେ ଏବେ କରୋନାର ନୂଆ ଉପ-ପ୍ରଭାତି ଏକ୍ସବିବି.୧.୧୬ ବ୍ୟାପିବାକୁ ଆରମ୍ଭ କରିଥିବାରୁ ଏହା ଓଡ଼ିଶା ପାଇଁ ବିପଦ ସୃଷ୍ଟି କରିଛି। କିଛିଦିନ ତଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଯେଉଁ ସତର୍କତାମୂଳକ ଚିଠି ଜାରି ହୋଇଥିଲା ତହିଁରେ କୋଭିଡ ସଂକ୍ରମଣକୁ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା।

ଡା.ପ୍ରତୀକ ସ୍ବାଇଁ କହିଛନ୍ତି, ଆରମ୍ଭରୁ ଇନ୍‌ଫ୍ଲୁଏଞ୍ଜାକୁ ନେଇ ଲୋକମାନେ ଅବହେଳା କରିଥିଲେ। ଏବେ ସଚେତନତା ବଢ଼ିବା ଯୋଗୁଁ ଲୋକମାନେ ସତର୍କ ହୋଇଛନ୍ତି। ଏଚ୍‌୩ଏନ୍‌୨ରେ ଆକ୍ରାନ୍ତ କେବଳ ବୟସ୍କ ବ୍ୟକ୍ତି ନୁହେଁ, ବହୁସଂଖ୍ୟାରେ ଛୋଟ ଶିଶୁ ମଧ୍ୟ ଚିକିତ୍ସା ପାଇଁ ଆସୁଛନ୍ତି। ତେବେ ଭୂତାଣୁର ପରୀକ୍ଷା ହେଉ ନ ଥିବାରୁ ସେମାନଙ୍କୁ କେବଳ ଲକ୍ଷଣଯୁକ୍ତ ଚିକିତ୍ସା କରାଯାଉଛି। ସାଧାରଣ ଭାବେ ଥଣ୍ଡାକାଶ ପ୍ରାୟ ୫ଦିନ ପର୍ଯ୍ୟନ୍ତ ରହୁଥିବା ବେଳେ ଏବେ କିନ୍ତୁ ତାହା ୭-୧୦ଦିନ ପର୍ଯ୍ୟନ୍ତ ରହୁଛି। ଅନେକ ଶିଶୁଙ୍କ କ୍ଷେତ୍ରରେ ଆଣ୍ଟିବାୟୋଟିକ୍‌ର କୋର୍ସ ଶେଷ ହୋଇଯିବା ପରେ ବି ଆଉ ଥରେ ଲକ୍ଷଣ ଦେଖାଯାଉଛି। ତେଣୁ ପିଲାଙ୍କୁ ଫ୍ଲୁ ଟିକା ଦେବା ପାଇଁ ପିତାମାତାଙ୍କୁ ପରାମର୍ଶ ଦିଆଯାଉଛି। ତେବେ ଚଳିତମାସ ଶେଷ ସପ୍ତାହ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ କମିଯିବା ବୋଲି ଯେଉଁ ଆଲୋଚନା ହେଉଛି ତାହା ହୁଏତ ସତ ନ ହୋଇପାରେ। କାରଣ ଆଉ କିଛିଦିନ ପରେ ବର୍ଷା ଋତୁ ଆସୁଥିବାରୁ, ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ପୁଣିଥରେ ମୁଣ୍ଡ ଟେକିବ ବୋଲି ଡା.ସ୍ବାଇଁ କହିଛନ୍ତି।

ଆରଏମ୍‌ଆରସି ନିର୍ଦେଶିକା ଡା.ସଂଘମିତ୍ରା ସ୍ବାଇଁ କହିଛନ୍ତି, ଚଳିତମାସରେ ମାତ୍ର ୨ଜଣ ବ୍ୟକ୍ତି ଇନ୍‌ଫ୍ଲୁଏଞ୍ଜାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ଲ୍ୟାବ୍‌କୁ ଯେତେ‌ ନମୁନା ଆସିଥିଲା ତହିଁରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ରହିଥିଲା। ତେବେ ଏକ୍ସବିବି.୧.୧୬ ଉପ-ପ୍ରଜାତି ରାଜ୍ୟରେ ଚିହ୍ନଟ ହୋଇଛନ୍ତି କି ନାହିଁ ତାହାର ଅନୁଧ୍ୟାନ କରାଯିବା ପରେ ଜଣାପଡ଼ିବ। ତେବେ ଖରା ଆସିଲେ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ହ୍ରାସ ପାଇଥାଏ। ତେଣୁ ଚଳିତମାସ ଶେଷ ଆଡ଼କୁ ସଂକ୍ରମଣ ହ୍ରାସ ପାଇବ ବୋଲି ଡା.ପତି ସୂଚନା ଦେଇଛନ୍ତି।

ଅପରପକ୍ଷରେ ରାଜ୍ୟରେ ଇନ୍‌ଫ୍ଲୁଏଞ୍ଜା(ଏଚ୍‌୩ଏନ୍‌୨)ର ମାମଲା ୬୧କୁ ବୃଦ୍ଧି ପାଇଛି। ଚଳିତମାସରେ ଆଉ ୨ଜଣ ସଂକ୍ରମିତଙ୍କୁ ଆରଏମ୍‌ଆରସି ଲ୍ୟାବ୍‌ରେ ଚିହ୍ନଟ କରାଯାଇଛି। ତେବେ କେତେଜଣ ଇନ୍‌ଫ୍ଲୁଏଞ୍ଜା-ବି ରେ ଆକ୍ରାନ୍ତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ।

Leave a Reply

Your email address will not be published. Required fields are marked *