Spread the love

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କର ଆନ୍ଦୋଳନ ଜାରି ରହିଥିବା ବେଳେ ଏନେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଟୁଇଟରରେ ଲେଖିଛନ୍ତି, ଓଡ଼ିଶାରେ ଦୁଇ ଦିନ ହେଲା ଡ୍ରାଇଭର ବନ୍ଧୁମାନଙ୍କର ଗୋଟିଏ ଆନ୍ଦୋଳନ ଆରମ୍ଭ ହୋଇଛି, ଯାହା ଦ୍ୱାରା ସାଧାରଣ ଲୋକଙ୍କ ଯାତାୟତ କିଛି ମାତ୍ରାରେ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳୁଛି। ଏ ଆନ୍ଦୋଳନ ଆଜିର ନୁହେଁ ପାଖାପାଖି ବର୍ଷକ ପୂର୍ବରୁ ଆରମ୍ଭ ହୋଇଥିଲା । ସେତେବେଳେ ଡ୍ରାଇଭର ମହାସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇ ଏହି ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି। କିଛି ଦିନ ପୂର୍ବରୁ ସମାନ ଦାବିକୁ ଦୋହରାଇ ଡ୍ରାଇଭର ବନ୍ଧୁମାନେ ଦଣ୍ଡବତ ଯାତ୍ରା କରିଥିଲେ।
ଡ୍ରାଇଭର ବନ୍ଧୁମାନଙ୍କର ସମାଜରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ରହିବ ମଧ୍ୟ। ଏମାନେ ସମାଜରେ ଅସ୍ପୃଶ୍ୟ ନୁହଁନ୍ତି। ସେମାନେ ଆମମାନଙ୍କ ମଧ୍ୟରୁ ଜଣେ। ତାଙ୍କ ସହ ଭଲ ଭାବେ ରାଜ୍ୟ ସରକାର ଆଲୋଚନା ନ କରି ରାସ୍ତା ବାହାର ନ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।
ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ଡ୍ରାଇଭର ବନ୍ଧୁମାନଙ୍କର ଦାବିକୁ ଗୁରୁତର ସହ ନେଇ ଆପଣଙ୍କ ଉପସ୍ଥିତିରେ ସମସ୍ତ ଡ୍ରାଇଭର ସଂଘ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରନ୍ତୁ।

Leave a Reply

Your email address will not be published. Required fields are marked *