Spread the love

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲି (୧୫ ମାର୍ଚ୍ଚ/ ବୁଧବାର) ଠାରୁ ରାଜ୍ୟର ପାଗ ବଦଳିବ। ସାରା ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୧୫ ତାରିଖରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।

୧୬ ତାରିଖ ଆଡ଼କୁ ପବନର ବେଗ ମଧ୍ୟ ବଢ଼ିବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ପାଖାପାଖି ୪୦ରୁ ୫୦ କିମିରେ ପହଞ୍ଚିବ। ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ତମାମ ରାଜ୍ୟରେ ବର୍ଷା ଓ ପବନ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି ଯେ ପଶ୍ଚିମା ଝଡ଼ ସହିତ ଜଡ଼ିତ ବାୟୁମଣ୍ଡଳର ମଧ୍ୟଭାଗରେ ଥିବା ଟ୍ରଫ୍ଲାଇନ୍‌, ବାୟୁମଣ୍ଡଳର ନିମ୍ନଭାଗରେ ଥିବା ଜଳୀୟବାଷ୍ପପୂର୍ଣ୍ଣ ପୂର୍ବ ଦିଗରୁ ପ୍ରବାହିତ ବାୟୁ ସଂସ୍ପର୍ଶରେ ଆସିବା ଦ୍ଵାରା ପାରିସ୍ପରିକ କ୍ରିୟା ଯୋଗୁଁ ରାଜ୍ୟରେ ବର୍ଷା ହେବ। ୧୬ ଓ ୧୭ ତାରିଖରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଓ ଝଡ଼ ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ହେବାର ସମ୍ଭାବନା ରହିଛି।

ଏଥିପାଇଁ ୧୫ ତାରିଖରେ ୮ ଜିଲ୍ଲା ଓ ୧୬ ତାରିଖରେ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୭ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ୩୦ ଜିଲ୍ଲାକୁ ବିଜୁଳି, ଘଡ଼ଘଡ଼ି ଓ ଝଡ଼ ପବନ ସହ ବର୍ଷାର ଚେତାବନୀ ଜାରି ହୋଇଛି।

ଅନ୍ୟପକ୍ଷରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ୧୬ ତାରିଖରୁ ରାଜ୍ୟର ତାପମାତ୍ରା ୨ ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିବ ବୋଲି ପାଣିପାଗ କେନ୍ଦ୍ର କହିଛି।

 

Leave a Reply

Your email address will not be published. Required fields are marked *