Spread the love

ଲାହୋର/ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ତାଙ୍କ ଲାହୋର ବାସଭବନରୁ ଗିରଫ କରିବା ପାଇଁ ପାକିସ୍ତାନ ପୁଲିସର ପ୍ରୟାସକୁ ତାଙ୍କ ସମର୍ଥକମାନେ ଅବରୋଧ କରୁଥିବା ବେଳେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି, ଯେଉଁଥିରେ ସେ ଜେଲରେ ଥାଆନ୍ତୁ କିମ୍ବା ତାଙ୍କୁ ହତ୍ୟା କରାଯାଇଥାଉ, ସେଥିପ୍ରତି ଗୁରୁତ୍ୱ ନଦେଇ ଲୋକଙ୍କୁ ସେମାନଙ୍କ ଅଧିକାର ପାଇଁ ଲଢ଼ିବାକୁ ନିବେଦନ କରିଛନ୍ତି।
ଦୁର୍ନୀତି ମାମଲାରେ ଖାନ୍‌ଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ କରୁଥିବା ବେଳେ ତାଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପୁଲିସ କର୍ମଚାରୀଙ୍କ ଉପରକୁ ଟେକା ପଥର ଫିଙ୍ଗିଛନ୍ତି ଯାହାର ଜବାବ ପୁଲିସ ପାଣି ‘କାନନ’ରେ ଦେଇଛି।
ଦେଶବାସୀଙ୍କୁ ସମ୍ବୋଧିତ କରି ଭିଡ଼ିଓ ବାର୍ତ୍ତାରେ ଇମ୍ରାନ୍‌ କହିଛନ୍ତି, ‘ମୋତେ ଗିରଫ କରିବା ପାଇଁ ପୁଲିସ ଆସି ପହଞ୍ଚିଛି। ସେମାନେ ଭାବୁଛନ୍ତି ଯେ ଯଦି ଇମ୍ରାନ ଖାନ୍‌ ଜେଲ ଯିବେ ତେବେ ଲୋକମାନେ ଶୋଇଯିବେ। ତୁମକୁ ସେମାନଙ୍କୁ ଭୁଲ ପ୍ରମାଣିତ କରିବାକୁ ହେବ, ତୁମକୁ ପ୍ରମାଣ କରିବାକୁ ପଡିବ ଯେ କୌମ (ଲୋକମାନେ) ଜୀବିତ ଅଛନ୍ତି’।
‘ନିଜ ଅଧିକାର ପାଇଁ ଲଢ଼ିବାକୁ ପଡ଼ିବ, ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ିବ। ଭଗବାନ ଇମ୍ରାନ ଖାନ୍‌କୁ ସବୁ କିଛି ଦେଇଛନ୍ତି। ମୁଁ ତୁମର ଲଢ଼େଇ ଲଢୁଛି। ମୁଁ ସାରା ଜୀବନ ଲଢ଼େଇ କରିଛି ଏବଂ ଆଗକୁ ମଧ୍ୟ କରିବି। କିନ୍ତୁ ଯଦି ମୋର କିଛି ହୁଏ; ସେମାନେ ମୋତେ ଜେଲରେ ରଖିଲେ କିମ୍ବା ହତ୍ୟା କଲେ, ଆପଣମାନଙ୍କୁ ପ୍ରମାଣ କରିବାକୁ ପଡିବ ଯେ ଆପଣ ଇମ୍ରାନ ଖାନ୍‌ଙ୍କ ବିନା ମଧ୍ୟ ଲଢିପାରିବେ। ଆପଣଙ୍କୁ ପ୍ରମାଣ କରିବାକୁ ପଡିବ ଯେ ଆପଣ କେବେ ବି ଏହି ଦାସତ୍ୱ ଏବଂ ଜଣେ ବ୍ୟକ୍ତିଙ୍କ ଏହି ନିୟମକୁ ଗ୍ରହଣ କରିବେ ନାହିଁ। ପାକିସ୍ତାନ ଜିନ୍ଦାବାଦ!’ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୭୦ ବର୍ଷୀୟ ଏହି ରାଜନେତା, ଯିଏକି ଜଣେ କ୍ରିକେଟ୍‌ କିମ୍ବଦନ୍ତୀ ମଧ୍ୟ ଅଟନ୍ତି, ତୋଶାଖାନା ଦୁର୍ନୀତି ମାମଲାରେ ୱାଣ୍ଟେଡ୍‌ ଅଛନ୍ତି। ଗତବର୍ଷ ଅକ୍ଟୋବରରେ ପାକିସ୍ତାନ ନିର୍ବାଚନ କମିଶନ ତାଙ୍କୁ ପ୍ରଧାନମନ୍ତ୍ରୀ ଥିବା ସମୟରେ ବେଆଇନ ଭାବେ ବିଦେଶୀ ପ୍ରତିନିଧିଙ୍କ ଉପହାର ବିକ୍ରି କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ତାଙ୍କ ବିରୋଧରେ ଦୁର୍ନୀତି ନିରୋଧୀ ଅଦାଲତରେ ଅଭିଯୋଗ ଦାଏର କରାଯାଇଥିଲା, ଯେଉଁଥିରେ ଗତ ସପ୍ତାହରେ ଖାନ୍‌ ସମନ ପାଇ ହାଜର ନ ହେବାରୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରା ଯାଇଥିଲା।
ପାକିସ୍ତାନ ତେହରିକ-ଏ-ଇନସାଫର ନେତୃତ୍ୱ ନେଉଥିବା ଇମ୍ରାନ ନ୍ୟାସନାଲ ଆସେମ୍ବଲିରେ ଆସ୍ଥା ଭୋଟରେ ପରାଜିତ ହେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଥିଲା। ସେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ଦାବି କରି ଆସୁଛନ୍ତି; କିନ୍ତୁ ଏହି ଦାବିକୁ ତାଙ୍କ ଉତ୍ତରାଧିକାରୀ ଶେହବାଜ ସରିଫ୍‌ ପ୍ରତ୍ୟାଖ୍ୟାନ କରିଛନ୍ତି।

Leave a Reply

Your email address will not be published. Required fields are marked *