Spread the love

ସିଓଲ୍‌: ଆମେରିକା ଓ ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ଆରମ୍ଭ କରିବା ଆଗରୁ ଶକ୍ତି ପ୍ରଦର୍ଶନପୂର୍ବକ ଉତ୍ତର କୋରିଆ ଗୋଟାଏ ବୁଡ଼ାଜାହାଜରୁ ଦୁଇଟି ‘‌ଷ୍ଟ୍ରାଟେଜିକ୍‌ କ୍ରୁଜ୍‌ ମିସାଇଲ୍‌’ ପରୀକ୍ଷାମୂଳକ ଉତ୍‌କ୍ଷେପଣ କରିଥିବା କଥା ଆଜି ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।
‘କେସିଏନ୍‌ଏ’ ନିଉଜ୍‌ ଏଜେନ୍‌ସି କହିଛି, ରବିବାର ସକାଳେ ପୂର୍ବ ଉପକୂଳବର୍ତ୍ତୀ ନଗରୀ ସିନ୍‌ପୋ ନିକଟ ସମୁଦ୍ର ଜଳରାଶି ମଧ୍ୟରେ ଥାଇ ଗୋଟାଏ ବୁଡ଼ାଜାହାଜ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି।
‘ୟୋନ୍‌ହାପ୍‌’ ନିଉଜ୍‌ ଏଜେନ୍‌ସି ରିପୋର୍ଟ କରିଛି ଯେ, ସବିଶେଷ ବିବରଣୀ ନ ଦେଇ ଦକ୍ଷିଣ କୋରିଆ ସେନା କହିଛି, ଗୋଟାଏ ଅଜ୍ଞାତ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯାଉଥିବା ସେମାନେ ଲକ୍ଷ୍ୟ କରିଛନ୍ତି।
‘କେସିଏନ୍‌ଏ’ କହିଛି, କୋରୀୟ ଉପଦ୍ବୀପର ପୂର୍ବ ତଟ ଜଳରାଶିରେ କ୍ଷେପଣାସ୍ତ୍ରଗୁଡ଼ିକ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିଥିବାରୁ ବ୍ୟବହାରିକ ପରୀକ୍ଷା ସଫଳ ହୋଇଛି।
ସୂଚନାଯୋଗ୍ୟ, ଆଜି ଦକ୍ଷିଣ କୋରିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ପାଞ୍ଚ ବର୍ଷ ପରେ ସବୁଠୁ ବଡ଼ ମିଳିତ ସମରାଭ୍ୟାସ ଆରମ୍ଭ କରୁଛନ୍ତି। ଏହି ସମରାଭ୍ୟାସକୁ ଯୁଦ୍ଧ ଘୋଷଣା ଭାବେ ବିବେଚନା କରାଯାଇ ପାରେ ବୋଲି ଉତ୍ତର କୋରିଆ କହିଛି।

Leave a Reply

Your email address will not be published. Required fields are marked *