Spread the love

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନରେ ମହଙ୍ଗା ମାଡ଼ ଏବେ ଲୋକଙ୍କ ରହିବା ମୁସ୍‌କିଲ୍‌ କରିସାରିଲାଣି। ଯୋଗାଣ ଶୃଙ୍ଖଳାରେ ସମସ୍ୟା ହେତୁ ଅନେକ ବଡ଼ ବଡ଼ କମ୍ପାନି ସେମାନଙ୍କ ଅଫିସରେ ତାଲା ଝୁଲାଇଥିବା ବେଳେ ମହଙ୍ଗା ମାଡ଼ରେ ଧନୀ ବ୍ୟକ୍ତିଗଣ ବି ଦେଶ ଛାଡ଼ି ପଳାଉଛନ୍ତି। ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ଦର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ।
ପାକିସ୍ତାନରେ ଦୁଗ୍ଧ ଲିଟର୍‌ ପିଛା ୧୫୦ ଟଙ୍କା ହୋଇଥିବା ବେଳେ ଚାଉଳ କିଲୋ ରହିଛି ୨୧୩ ଟଙ୍କା। ସେହିପରି ଅଣ୍ଡା‌ ଗୋଟାକ ୨୧ ଟଙ୍କା ହୋଇଥିବା ବେଳେ ଚିକେନ୍‌ କିଲୋ ୫୫୦ ଟଙ୍କା, କମଳା କିଲୋ ୧୬୯ ଟଙ୍କା, ଆଳୁ କିଲୋ ୬୬ ଟଙ୍କା ଓ ଟମାଟର୍‌ କିଲୋ ୧୨୬ ଟଙ୍କା ରହିଛି।
ପାକିସ୍ତାନର ବିଦେଶୀ ଋଣ ୯୭ ବିଲିୟନ୍‌ ଡଲାରରୁ ଅଧିକ ରହିଛି, ଯେଉଁଥିରେ ଆନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନ, ବିଭିନ୍ନ ଦେଶ, ବିଦେଶୀ ବାଣିଜ୍ୟିକ ବ୍ୟାଙ୍କ ଏବଂ ଆନ୍ତର୍ଜାତୀୟ ବଣ୍ଡ ବଜାର ଅନ୍ତର୍ଭୁକ୍ତ। ଏହା ଦେଶର ଜିଡିପିର ୮୦ ପ୍ରତିଶତ ଅଟେ। ଏହି କରଜର ଏକ ତୃତୀୟାଂଶ ଭାଗ ଚୀନର ରହିଥିବା ବେଳେ ଏଥିରେ ଚୀନର ସରାକରୀ ବାଣିଜ୍ୟିକ ବ୍ୟାଙ୍କ୍‌ଗୁଡ଼ିକ ବି ସାମିଲ୍‌ ଅଛି।
ଚୀନକୁ ପାକିସ୍ତାନ ୩୦ ବିଲିୟନ୍‌ ଋଣ ଫେରସ୍ତ କରିବ। ୨୦୨୨ ମସିହା ଫେବ୍ରୁଆରି ମାସରେ ଏହି ଋଣର ପରିମାଣ ୨୫.୧ ବିଲିୟନ୍‌ ଡଲାର ଥିଲା। ପାକିସ୍ତାନକୁ ଚୀନ ଯୋଗାଇଥିବା ସହାୟତା ଆଇଏମ୍‌ଏଫ୍‌ ଋଣଠାରୁ ୩ ଗୁଣ ଅଧିକ।

ଏପଟେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କାର ମୂଲ୍ୟ ବି ହ୍ରାସ ପାଇଛି। ଏବେ ଗୋଟାଏ ଡଲାର ମୂଲ୍ୟ ପାକିସ୍ତାନୀ ଟଙ୍କା ୨୭୭.୭୧ ସହ ସମାନ ହେବ। ତେବେ ଯେଉଁଭଳି ଭାବେ ପାକିସ୍ତାନ ଋଣଭାରରେ ବୁଡ଼ିବାରେ ଲାଗିଛି, ନିଜକୁ ନିଜେ ଦେବାଳିଆ ଘୋଷଣା କରିବା ବ୍ୟତୀତ ପାକିସ୍ତାନ ପାଖରେ ଆଉ କୌଣସି ବିକଳ୍ପ ରହିବ ନାହିଁ।
ଏବେ ପାକିସ୍ତାନରୁ ଲୋକେ ଦେଶ ଛାଡ଼ି ବହୁଳ ସଂଖ୍ୟାରେ ଅନ୍ୟ ଦେଶକୁ ପଳାଉଛନ୍ତି। ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ କହିବା ଆରମ୍ଭ କରିଛନ୍ତି କି ଏବେ ‘ପାକିସ୍ତାନ ଜିନ୍ଦାବାଦ୍‌’ ନୁହେଁ, ‘ପାକିସ୍ତାନ ସେ ଜିନ୍ଦା ଭାଗ୍‌’ ଅର୍ଥାତ ପାକିସ୍ତାନରୁ ଜୀବନ ନେଇ ପଳା କହିବାର ସମୟ ଆସିଛି। ୨୦୨୨ ମସିହାରେ ପାକିସ୍ତାନରୁ ୮୩୨, ୩୩୯ ଜଣ ଲୋକ ପଳାଇଥିଲେ। ୨୦୧୬ ମସିହା ପରେ ଏହା ହେଉଛି ସର୍ବାଧିକ। ୨୦୨୧ ମସିହା ତୁଳନାରେ ୨୦୨୨ ମସିହାରେ ୨୦୦ ପ୍ରତିଶତ ଲୋକ ପାକିସ୍ତାନ ଛାଡ଼ି ଅନ୍ୟ ଦେଶକୁ ପଳାୟନ କରିଥିବା ରିପୋର୍ଟ ରହିଛି।

Leave a Reply

Your email address will not be published. Required fields are marked *