Spread the love

ନୂଆଦିଲ୍ଳୀ: ଗତ ୩ ବର୍ଷ ହେବ ଭାରତରେ ଚାଲିବା ଆରମ୍ଭ କରିଥିବା ‘ବନ୍ଦେ ଭାରତ ଟ୍ରେନ୍‌’କୁ ଏ ବର୍ଷ ଦେଶର ଅଗ୍ରଣୀ ଷ୍ଟିଲ୍‌ କମ୍ପାନି ‘ଟାଟା ଷ୍ଟିଲ୍‌’ ନିର୍ମାଣ କରିବ ବୋଲି ସୂଚନା ରହିଛି। କମ୍ପାନି ଆଗାମୀ ବର୍ଷ ସୁଦ୍ଧା ଅତି କମରେ ୨୨ଟି ଟ୍ରେନ୍‌ ନିର୍ମାଣ କରିବ ବୋଲି ଜାଣିବାକୁ ମିଳିଛି। ସୂଚନା ଅନୁସାରେ ଏ ନେଇ ଭାରତୀୟ ରେଳବାଇ ‘ଟାଟା ଷ୍ଟିଲ୍‌’ ସହ ବୁଝାମଣାପତ୍ର ସ୍ବାକ୍ଷର ବି କରିସାରିଛି।
ଆଗାମୀ ୨ ବର୍ଷ ମଧ୍ୟରେ ଭାରତୀୟ ରେଳ ମନ୍ତ୍ରାଳୟ ୨୦୦ ‘ବନ୍ଦେ ଭାରତ ଟ୍ରେନ୍‌’ ନିର୍ମାଣ କରିବାର ଯୋଜନା ରଖିଛି। ଏହାଛଡ଼ା ୨୦୨୪ ମସିହାରେ ପ୍ରଥମ ତ୍ରୈମାସରେ ଏହି ଟ୍ରେନ୍‌ର ସ୍ଲିପର୍‌ ଭର୍ସନ ବି ଚାଲିବାର ଯୋଜନା ରହିଛି।
ଟ୍ରେନ୍‌ର ଉତ୍ପାଦନ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଭାରତୀୟ ରେଳବାଇ ‘ଟାଟା ଷ୍ଟିଲ୍‌’ ସହ ଅନେକ ଯୋଜନାରେ ସ୍ବାକ୍ଷର କରିଛି। ‘ଟାଟା ଷ୍ଟିଲ୍‌’ ଏବେ ‘ବନ୍ଦେ ଭାରତ ଟ୍ରେନ୍‌’ର ଏସିରୁ ନେଇ ୩-ଟାୟାର୍‌ କୋଚ୍‌ର ସିଟ୍‌ ତିଆରିବା ଆରମ୍ଭ କରିବ। କମ୍ପାନିକୁ ‘ଲିଙ୍କେ ହୋଫ୍‌ମ୍ୟାନ୍‌ ବୁସ୍‌(ଏଲ୍‌ଏଚ୍‌ବି)’ କୋଚ୍‌ ତିଆରି କରିବାର ଚୁକ୍ତି ବି ମିଳିଛି।

ଯୋଜନା ଅଧୀନରେ ରେଳର ଯନ୍ତ୍ରାଂଶ ତିଆରିବା ପାଇଁ ଏବେ ଭାରତୀୟ ରେଳବାଇ ମଲ୍‌ଟିନେସ୍‌ନାଲ୍‌ କମ୍ପାନି ‘ଟାଟା ଷ୍ଟିଲ୍‌’କୁ ୧୪୫ କୋଟି ଟଙ୍କାର ଟେଣ୍ଡ୍‌ର ଦେଇଛି। କମ୍ପାନି ୧୨ ମାସ ମଧ୍ୟରେ ସେସବୁକୁ ତିଆରିବ ବୋଲି ଚୁକ୍ତି ହୋଇଛି।
୨୦୧୯ ଫେବ୍ରୁଆରି ୧୫ ତାରିଖରେ ଦେଶରେ ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା। ନୂଆଦିଲ୍ଲୀରୁ ବାରଣାସୀ ମାର୍ଗରେ ଏହି ଟ୍ରେନର ଶୁଭାରମ୍ଭ କରାଯାଇଥିଲା। ୩ ବର୍ଷ ମଧ୍ୟରେ ରେଳବାଇ ଦେଶର ୧୦ଟି ମାର୍ଗରେ ଏହି ଟ୍ରେନ ଚଳାଚଳ କରିବାରେ ସକ୍ଷମ ହୋଇଛି।

Leave a Reply

Your email address will not be published. Required fields are marked *